ନୂଆଦିଲ୍ଲୀ ୩।୨: ସୁପ୍ରିମକୋର୍ଟ ସୋମବାର ତାମିଲନାଡୁ ଗଭର୍ଣ୍ଣର ଆର.ଏନ.ରବିଙ୍କୁ ଡକାଇ ନେବା ପାଇଁ ଅଗତ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଗଭର୍ଣ୍ଣର ଜାତୀୟ ସଙ୍ଗୀତ ନବାଜିବା ବିରୋଧରେ ବିଧାନସଭାକୁ ସମ୍ବୋଧିତ ନକରି କକ୍ଷ୍ୟତ୍ୟାଗ କରିଥିଲେ। ଆବେଦନରେ ଅଭିଯୋଗ କରାଯାଇଛି ଯେ ଏପରି କରି ଗଭର୍ଣ୍ଣର ସମ୍ବିଧାନର ଉଲ୍ଲଂଘନ କରିଛନ୍ତି। ତେବେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନାଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି। ପୀଠ କହିଛନ୍ତି ଯେ ଯେଉଁଠି ଆମକୁ ଲାଗେ କୌଣସି ପ୍ରସଙ୍ଗ ଅଛି ଆମେ ନୋଟିସ୍ ଜାରି କରିଛୁ ଓ ମାମଲା ଲମ୍ବିତ ଅଛି। ଏହି ପିଟିସନ ଗଭର୍ଣ୍ଣରଙ୍କୁ ପ୍ରତ୍ୟାହାର ନିମନ୍ତେ ନିର୍ଦ୍ଦେଶ ଦେବାକୁ ଦାବି କରୁଛି। ଏହା ସମ୍ଭବ ନୁହେଁ, ଆମେ ଏହାକୁ ସ୍ୱୀକାର କରିପାରୁନି। କାରଣ ଆମେ ବି ସମ୍ବିଧାନରେ ବନ୍ଧା।
ପୀଠ କହିଛନ୍ତି ଯେ ଏହି ମାମଲା ସମ୍ବିଧାନ ଓ ଗଭର୍ଣ୍ଣରଙ୍କ ସାମ୍ବିଧାନିକ ଭୂମିକା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ପକ୍ଷକୁ ଦର୍ଶାଉଛି। ଆବେଦନକାରୀ ଓକିଲ ସି.ଆର.ଜୟା ସୁକିନ କହିଛନ୍ତି ଯେ ଗଭର୍ଣ୍ଣର ବିଧାନସଭାରୁ ୱାକଆଉଟ୍ କରିବା ଓ ଦ୍ରାବିଡ ଅବଧାରଣାକୁ ନେଇ ଦିଆଯାଇଥିବା ବୟାନ ସମ୍ବିଧାନିକ ମର୍ଯ୍ୟଦାର ଉଲ୍ଲଂଘନ। ଆବେଦନରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କରାଯାଇଥିଲା।
୬ ଜାନୁୟାରୀ ୨୦୨୫ରେ ଗଭର୍ଣ୍ଣର ଆର.ଏନ.ରବି ତାମିଲନାଡୁ ବିଧାନସଭାରେ ଜାତୀୟ ସଂଗୀତ ଗାନ ନହେବାରୁ ବିରୋଧ କରି ଅଧିବେଶନ ଆରମ୍ଭ ହେବା ମାତ୍ରେ ୱାକ୍ ଆଉଟ୍ କରିଥିଲେ। ପରେ ଏହି ଘଟଣା ରାଜନୈତିକ ବିବାଦର କାରଣ ପାଲଟିଥିଲା। ଗଭର୍ଣ୍ଣର ପୂର୍ବରୁ ମଧ୍ୟ ଦ୍ରାବିଡ ବିଚାରଧାରାକୁ ନେଇ ଟିପ୍ପଣୀ କରି ବିବାଦରେ ଥିଲେ।
ଭାରତୀୟ ସମ୍ବିଧାନ ଅନୁସାରେ ଗଭର୍ଣ୍ଣର କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ପ୍ରତିନିଧି ହୋଇଥାନ୍ତି। ତାଙ୍କ ନିକଟରେ କାର୍ଯ୍ୟପାଳିକା ସମ୍ପର୍କିତ କିଛି ଶକ୍ତି ମଧ୍ୟ ଥାଏ, କିନ୍ତୁ ତାଙ୍କୁ ରାଜନୈତିକ ରୂପେ ନିରପେକ୍ଷ ରହିବାକୁ ପଡିଥାଏ। ସୁପ୍ରିମକୋର୍ଟ ପୂର୍ବରୁ ମଧ୍ୟ କହିଛନ୍ତି ଯେ ଗଭର୍ଣ୍ଣରଙ୍କୁ ସମ୍ବିଧାନର ମର୍ଯ୍ୟଦାରେ ରହି କାର୍ଯ୍ୟ କରିବା ଦରକାର। ତେବେ ତାଙ୍କୁ ଫେରସ୍ତ ଡକାଇ ନେବାର କ୍ଷମତା କୋର୍ଟ ନୁହେଁ କେବଳ ରାଷ୍ଟ୍ରପତିଙ୍କ ନିକଟରେ ଥାଏ।