କିଏ ପ୍ରସ୍ତୁତ କରନ୍ତି ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶଙ୍କ ତାଲିକା, ଯାହାର Top-10 ତାଲିକାରୁ ବାଦ ପଡିଛି ଭାରତ?

Published By : Prameya-News7 Bureau | February 03, 2025 IST

ନୂଆଦିଲ୍ଲୀ ୩।୨:  ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ ନିକଟରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶଙ୍କ ତାଲିକା ଜାରି କରିଥିଲେ। ଏହି ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ଥିଲା। ଏହି ତାଲିକା ଶକ୍ତିଶାଳୀ ଦେଶଙ୍କ ସୈନ୍ୟ ବଳ ଉପରେ ଆଧାରିତ ଥିଲା। ଏବେ ଆଉ ଏକ ନୂଆ ତାଲିକା ଜାରି ହୋଇଛି। ଯେଉଁଥିରେ ୨୦୨୫ରେ ବିଶ୍ୱର ଟପ୍-୧୦ ସବୁଠୁ ଶକ୍ତିଶାଳୀ ଦେଶଙ୍କୁ ରାଙ୍କିଙ୍ଗ କରାଯାଇଛି। ଆଶ୍ଚର୍ଯ୍ୟର କଥା ଏଥିରେ ଭାରତକୁ ସ୍ଥାନ ଦିଆଯାଇ ନାହିଁ। ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

କୁହାଯାଉଛି ଭାରତ ଭଳି ଏକ ସବୁଠୁ ଅଧିକ ଜନସଂଖ୍ୟାର ଦେଶ ଯାହାର ଚତୁର୍ଥ ବଡ଼ ସୈନ୍ୟ କ୍ଷମତା ରହିଛି ଓ ପଞ୍ଚମ ସବୁଠୁ ବଡ଼ ଅର୍ଥନୀତିର ଦେଶକୁ ଟପ୍-୧୦ରୁ ବାଦ କିପରି ଦିଆଯାଇ ପାରିବ?ଏବେ ପ୍ରଶ୍ନ ଉଠୁଛି ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି କିଏ? ଏହି ଲିଷ୍ଟ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି ଓ ବିଶ୍ୱର ଟପ୍-୧୦ ଦେଶଙ୍କୁ କେମିତି ବଛାଗଲା, ଏହାର ଆଧାର କ’ଣ?  ଆସନ୍ତୁ ଜାଣିବା..

ସବୁ ବର୍ଷ ତାଲିକା ଜାରି କରନ୍ତି ସଂସ୍ଥା
ବିଶ୍ୱର ଟପ୍-୧୦ଦେଶଙ୍କ ତାଲିକା ଫୋର୍ବସ ଦ୍ୱାରା ଜାରି କରାଯାଏ। ଏହି ସଂସ୍ଥା ସବୁବର୍ଷ ଏଇଭଳି ତାଲିକା ଜାରି କରିଥାନ୍ତି। ଏହା ଛଡା ବିଶ୍ୱର ସବୁଠୁ ଧନାଢ୍ୟ ଲୋକଙ୍କ ଓ ସବୁଠୁ ବଡ଼ କମ୍ପାନୀଙ୍କ ତାଲିକା ଫୋର୍ବସ୍ ଜାରି କରନ୍ତି। ଏହି ସଂସ୍ଥା ନିଜର ରାଙ୍କିଙ୍ଗ ଲିଷ୍ଟରେ ଅନେକ ପ୍ରକାରର ମାନକକୁ ଆଧାର କରନ୍ତି। ଖାସ ଏହି କାରଣରୁ କମ୍ପାନୀପକ୍ଷରୁ ଜାରି କରାଯାଇଥିବା ଲିଷ୍ଟକୁ ବେଶ୍ ଗୁରୁତ୍ୱ ମଧ୍ୟ ମିଳିଥାଏ। 

ଟପ୍-୧୦ରେ ନାହିଁ ଭାରତ
ଫୋର୍ବସ ୨୦୨୫ରେ ୧୦ ସବୁଠୁ ଶକ୍ତିଶାଳୀ ଦେଶଙ୍କ ସୂଚୀ ଜାରି କରିଛି। ଏଥିରେ ଆମେରିକା ୩୦.୩୪ଟ୍ରିଲିୟନ ଡଲାର ଜିଡିପି ସହିତ ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଚୀନ୍‌ ଥିବା ବେଳେ ଏହାର ଜିଡିପି ୧୯.୫୩ ଟ୍ରିଲିୟନ ଡଲାର ରହିଛି। ତୃତୀୟ ସ୍ଥାନରେ ୨.୨ଟ୍ରିଲିୟନ ଡଲାରର ଜିଡିପି ସହିତ ଋଷିଆକୁ ରଖାଯାଇଛି। ଏହା ପଛକୁ ବ୍ରିଟେନ, ଜର୍ମାନ, ଦକ୍ଷିଣକୋରିଆ, ଫ୍ରାନ୍ସ, ଜାପାନ, ସାଉଦୀ ଆରବ ଓ ଇସ୍ରାଏଲକୁ ସ୍ଥାନ ଦିଆଯାଇଛି। ଟପ-୧୦ ଶକ୍ତିଶାଳୀ ଦେଶଙ୍କ ତାଲିକାରୁ ଭାରତକୁ ବାଦ ଦିଆଯାଇଛି। 

ଜାଣନ୍ତୁ ଟପ୍-୧୦ ବାଛିବାର ଆଧାର କ’ଣ? 

ଫୋର୍ବସ୍ ପକ୍ଷରୁ କୁହାଯାଇଛି ଯେ ରାଙ୍କିଙ୍ଗ ମଡେଲକୁ ବିଏଭି ଗ୍ରୁପ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯାହା ଗ୍ଲୋବାଲ ମାର୍କେଟିଂ କମ୍ୟୁନିକେସନ କମ୍ପାନୀ ଡବ୍ଲୁପିପିର ଏକ ୟୁନିଟ୍। ରିସର୍ଚ୍ଚ ଟିମର ନେତୃତ୍ୱ ପେନସିଲଭାନିଆ ୟୁନିଭର୍ସିଟିର ହ୍ୱାର୍ଟନ ସ୍କୁଲର ପ୍ରଫେସର ଡାଭିଡ ରିଭଷ୍ଟିନ ନେଇଛନ୍ତି। ଏହି ତାଲିକା ତିଆରି ପାଇଁ ୫ଟି ମାନକ ନିର୍ଦ୍ଧାରଣ କରାଯାଇଥିଲା। ଏଥିରେ ନେତା, ଆର୍ଥିକ ପ୍ରଭାବ, ରାଜନୈତିକ ପ୍ରଭାବ, ମଜଭୁତ ଅନ୍ତର୍ଜାତୀୟ ମେଣ୍ଟ ଓ ମଜଭୁତ ସେନା ଆଧାରରେ ସବୁ ଦେଶଙ୍କୁ ନମ୍ବରିଂ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.