ନୂଆଦିଲ୍ଲୀ ୩।୨: ବିଧାନସଭା ନିର୍ବାଚନ ପାଇଁ ରାଜଧାନୀ ଦିଲ୍ଲୀରେ ସୋମବାର ନିର୍ବାଚନ ପ୍ରଚାର ଶେଷ ହେଉଛି। ଏଥି ମଧ୍ୟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ନିମନ୍ତେ ସବୁଠୁ ଲାଟେଷ୍ଟ ସର୍ଭେ ରିପୋର୍ଟ ଆସିଯାଇଛି। ଏହି ସର୍ଭେ ରିପୋର୍ଟରେ ଶାସକ ଆମ ଆଦମୀ ପାର୍ଟି (ଆପ)ର ଅଧିକ ସିଟ୍ କ୍ଷତି ହେଉଥିବାର ଦେଖାଯାଉଛି। ଅପରପଟେ ମୁଖ୍ୟ ବିରୋଧୀ ଦଳ ବିଜେପିକୁ ନିର୍ବାଚନରେ ବଡ ଲାଭ ମିଳୁଥିବାର ରିପୋର୍ଟରେ ଆକଳନ କରାଯାଇଛି।
କଡ଼ା ଟକ୍କର ଦେଉଛି ବିଜେପି
ସର୍ଭେ ମୁତାବକ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଓ ବିଜେପି ମଧ୍ୟରେ ସିଧା ମୁକାବିଲା ହେଉଛି। ନିର୍ବାଚନରେ ବିଜେପିର ପ୍ରଦର୍ଶନ ପୂର୍ବାପେକ୍ଷା ଭଲ ରହିପାରେ। ସର୍ଭେରେ ଅନୁମାନ କରାଯାଇଛି ଯେ ନିର୍ବାଚନରେ ବିଜେପିର ଭୋଟ ସେୟାକର ୪୦ ପ୍ରତିଶତରୁ ଅଧିକ ରହିପାରେ। ଏଥିରେ ସିଟ ଆକଳନ କରାଗଲେ ବିଜେପିକୁ ବେଶିରୁ ବେଶି ୨୩ଟିରୁ ୨୭ଟି ଆସନ ମିଳିପାରେ।
ଆପକୁ ହେଉଛି କ୍ଷତି
ଲାଟେଷ୍ଟ ସର୍ଭେରେ କୁହାଯାଇଛି ଯେ ଦିଲ୍ଲୀ ନିର୍ବାଚନରେ ଆପ କୁ ବଡ଼ କ୍ଷତି ସହିବାକୁ ପଡିପାରେ। ତେବେ ରାଜ୍ୟରେ ଆପର ସରକାର ଗଢିବାରେ କୌଣସି ଅସୁବିଧା ହୋଇ ନ ପାରେ। ଏଥର ନିର୍ବାଚନରେ ଗତ ଦୁଇ ନିର୍ବାଚନ ଭଳି ଫଳାଫଳ ଆପକୁ ମିଳି ନପାରେ। ସର୍ଭେ ମୁତାବକ ଆପକୁ ନିର୍ବାଚନରେ ଅଧିକରୁ ଅଧିକ ୪୩ରୁ ୪୭ଟି ଆସନ ମିଳିପାରେ। ଉଲ୍ଲେଖଯୋଗ୍ୟ ଯେ ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଐତିହାସିକ ଥିଲା। ନିର୍ବାଚନରେ ଆପ ୭୦ଟିରୁ ୬୭ଟି ଆସନରେ ଜିତିଥିଲା। ସେହିପରି ୨୦୨୦ ବିଧାନସଭା ନିର୍ବାଚନରେ କେଜରିୱାଲଙ୍କ ପାର୍ଟିକୁ ୭୦ରୁ ୬୨ଟି ଆସନ ମିଳିଥିଲା।
ଫେବୃଆରୀ ୫ରେ ଭୋଟ
ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀର ସମସ୍ତ ୭୦ଟି ଜାକ ଆସନରେ ଫେବୃଆରୀ ୫ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଫେବୃଆରୀ ୮ ତାରିଖରେ ଭୋଟ ଗଣନା କରାଯିବ। ଦିଲ୍ଲୀ ବିଧାନସଭାର ଏବେକା କାର୍ଯ୍ୟକାଳ ଫେବୃଆରୀ ୨୩ରେ ସମାପ୍ତ ହେବ। ୨୦୨୦ ବିଧାନସଭା ନିର୍ବାଚନ ନିମନ୍ତେ ଜାନୁୟାରୀ ୬ରେ ତାରିଖ ଘୋଷଣା ହୋଇଥିଲା। ସମସ୍ତ ୭୦ଟି ଜାକ ଆସନରେ ଫେବୃଆରୀ ୮ ତାରିଖରେ ଭୋଟ ଗ୍ରହଣ ହୋଇଥିଲା ଓ ଫଳାଫଳ ୧୧ ଫେବୃଆରୀରେ ଘୋଷଣା ହୋଇଥିଲା।