ନୂଆଦିଲ୍ଲୀ: ମହାକୁମ୍ଭରେ ସ୍ନାନ ପାଇଁ ବୁଧବାର ଫେବ୍ରୁଆରୀ ୫ରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରୟାଗରାଜ ଆସିବେ । ତେବେ ତାଙ୍କର ପ୍ରୋଟୋକଲରେ ଏବେ ପରିବର୍ତ୍ତନ ହୋଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଛୋଟ କରାଯାଇଛି । କେବଳ ଏକ ଘଣ୍ଟା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରୟାଗରାଜରେ ରହିବେ । ଏହି ସମୟରେ ସେ କେବଳ ସଙ୍ଗମ ସ୍ନାନ ଏବଂ ଗଙ୍ଗା ପୂଜା କରିବେ । ଏହା ବ୍ୟତୀତ ପୂର୍ବରୁ ସ୍ଥିର ସବୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦେଖି ତାଙ୍କ ଟିମ୍ ସୋମବାର ରିହର୍ସଲ ବି କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ପ୍ରୟାଗରାଜରେ ପହଞ୍ଚିବେ । ସେ ଭୂଟାନ ରାଜାଙ୍କ ସହ ସଙ୍ଗମ ସ୍ନାନ କରିବା ପାଇଁ ପହଞ୍ଚୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୦ଟାରେ ପ୍ରୟାଗରାଜରେ ପହଞ୍ଚିବେ । ବମରୋଲି ଏୟାରପୋର୍ଟରୁ ଡିପିଏସ୍ ହେଲିପ୍ୟାଡ୍ ଏବଂ ସେଠାରୁ ନିଷାଦରାଜ କ୍ରୁଜରୁ ଭିଆଇପି ଜେଟି ପହଞ୍ଚିବେ । ମୋଟ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ଏକ ଘଣ୍ଟା ଯାଏ ପ୍ରୟାଗରାଜରେ ରହିବେ । ଏହି ଏକ ଘଣ୍ଟା ଅବଧିରେ ସେ ସ୍ନାନ କରିବେ ଏବଂ ପରେ ସେଠାରୁ ଫେରି ଆସିବେ ।
ଏହା ପୂର୍ବରୁ ୨୦୧୯ରେ ବି ଫେବ୍ରୁଆରୀରେ ହିଁ ପ୍ରଧାନମନ୍ତ୍ରୀ ମୋଦୀ କୁମ୍ଭମେଳାରେ ସ୍ନାନ କରିଥିଲେ । ସେହି ସମୟରେ ସେ ଗଙ୍ଗା ସ୍ନାନ କରିବା ସହ ସଫେଇ କର୍ମଚାରୀଙ୍କ ପାଦ ସଫା କରିଥିଲେ । ଏପରି କରି ସେ ସାମାଜିକ ସମାନତାର ସନ୍ଦେଶ ଦେଇଥିଲେ । ଆସନ୍ତା ଫେବ୍ରୁଆରୀ ୧୦ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରୟାଗରାଜ ଗସ୍ତ କାର୍ଯ୍ୟକ୍ରମ ରହିଛି ।