ନୂଆଦିଲ୍ଲୀ ୩।୨: କଙ୍ଗୋ ଡେମୋକ୍ରାଟିକ ରିପବ୍ଲିକ୍ କିଂଶାସାରେ ଜାରି ହିଂସାକୁ ନେଇ ଭାରତୀୟ ଦୂତାବାସ ସେଠାରେ ବସବାସ କରୁଥିବା ଭାରତୀୟଙ୍କ ନିମନ୍ତେ ଆଡଭାଇଜରୀ ଜାରି କରିଛନ୍ତି। କିଂଶାସାସ୍ଥିତ ଭାରତୀୟ ଦୂତାବାସ ବିଶେଷ କରି ବୁକାଭୁରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଅନୁରୋଧ କରିଛନ୍ତି, ଏହା ସହିତ ଦୂତାବାସ କହିଛନ୍ତି ଯେ ମଧ୍ୟ ଆଫ୍ରିକୀୟ ଦେଶରେ ଭାରତୀୟଙ୍କ ସୁରକ୍ଷା ସ୍ଥିତି ଉପରେ ଆମେ ଅତି ନିକଟରୁ ନଜର ରଖିଛୁ।
ଏପଟେ ନୂଆଦିଲ୍ଲୀରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଗୋମାରେ ପାଖାପାଖି ୧ ହଜାର ଭାରତୀୟ ଅବସ୍ଥାନ କରୁଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂଘର୍ଷ ଆରମ୍ଭ ହେବା ପରେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। ଜୟସ୍ୱାଲ ଏହା ମଧ୍ୟ କହିଛନ୍ତି ଯେ ପୂର୍ବ କଙ୍ଗୋରେ ଜାତିସଂଘ ମିଶନରେ ଶାନ୍ତି ସ୍ଥାପନା ନିମନ୍ତେ ଦେଶରେ ୧,୨୦୦ ଭାରତୀୟ ସୈନିକ ସେବାରତ ଅଛନ୍ତି। ତେବେ ଉପୁଜିଥିବା ପରିସ୍ଥିତିରେ ଭାରତୀୟ ଦୂତାବାସ ଗୋଟିଏ ଦିନରେ ୩ଟି ଆଡଭାଇଜରୀ ଜାରି କରିଛନ୍ତି।
ନୂଆ ଆଡଭାଇଜରୀରେ ପ୍ରତ୍ୟେକଙ୍କୁ ଆପାତକାଳୀନ ଯୋଜନା ପ୍ରସ୍ତୁତ କରିବା ପାଇଁ କହିଛନ୍ତି। ଏଥିରେ ସବୁ ଆବଶ୍ୟକ କାଗଜପତ୍ର ଯେପରିକି ପରିଚୟପତ୍ର, ଯାତ୍ରା କାଗଜପତ୍ର, ଔଷଧ, ପୋଷାକ, ଖାଦ୍ୟ ସାମଗ୍ରୀ ଓ ପାଣି ଆଦି ଜରୁରି ଜିନିଷ ଗୋଟିଏ ବ୍ୟାଗରେ ରଖନ୍ତୁ। ଏହା ସହିତ ନିୟମିତ ଅପଡେଟ ପାଇଁ ସ୍ଥାନୀୟ ନ୍ୟୁଜ ଚ୍ୟାନେଲ ଉପରେ ନଜର ରଖନ୍ତୁ। ଏହି ଆଡଭାଇଜରୀରରେ କାହାରିକୁ ହେଲେ ବୁକାଭୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସେଠି ଅଛନ୍ତି ସେମାନଙ୍କୁ ତୁରନ୍ତ ବିମାନବନ୍ଦର, ବର୍ଡର ଅଥବା କମର୍ସିଆଲ ରାସ୍ତାରେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।