ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ରେଳ ଦୁର୍ଘଟଣା । ଫତେହପୁରରେ ଦୁଇ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମଙ୍ଗଳବାର ସକାଳୁ ଡେଡିକେଟେଡ୍ ଫ୍ରଣ୍ଟ କରିଡର ଲାଇନରେ ଏହି ଦୁର୍ଘଟଣା ଘଟିଛି । ଖାଗା କୋତବାଲି ଅନ୍ତର୍ଗତ ପିମ୍ଭାପୁର ଗାଁ ନିକଟରେ ଏକ କୋଇଲା ଭର୍ତ୍ତି ମାଲବାହୀ ଟ୍ରେନ୍ ଲୁପ୍ ଲାଇନରେ ଛିଡ଼ା ହୋଇଥିଲା । ଏହି ସମୟରେ ପ୍ରୟାଗରାଜରୁ କାନପୁର ଯାଉଥିବା ଅନ୍ୟଏକ କୋଇଲା ବୋଝେଇ ଟ୍ରେନ୍ ପଛପଟୁ ଧକ୍କା ଦେଇଥିଲା । ଯାହାଫଳରେ ଗୋଟିଏ ଟ୍ରେନର ଇଞ୍ଜିନ ଡି-ରେଲ୍ ହୋଇଥିବା ବେଳେ ଅନ୍ୟଟିର ଗାର୍ଡ ବଗି ଲାଇନଚ୍ୟୁତ ହୋଇଛି ।
ଏହି ରେଳ ଦୁର୍ଘଟଣା ପରେ ଡିଏଫସିର ଅପ୍ ଲାଇନ ହାଓ୍ବଡା-ଦିଲ୍ଲୀ ରୁଟରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଛି । ମାତ୍ର ଡାଉନ ଲାଇନରେ ଗାଡ଼ି ଚାଲୁଥିବା ସୂଚନା ରହିଛି । ଦୁର୍ଘଟଣାର ଖବର ମିଳିବା ପରେ ରେଲଓ୍ବା ଇଞ୍ଜିନିୟରଙ୍କ ସହିତ ଟ୍ରାକ୍ ମ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ମରାମତି କାମ ଆରମ୍ଭ କରିଛନ୍ତି । ହାଓ୍ବଡ଼ା-ଦିଲ୍ଲୀରେ ଲାଇନରେ ପ୍ରୟାଗରାଜରୁ ସକାଳ ପ୍ରାୟ ସାଢ଼େ ୪ଟାରେ ଏକ ମାଲବାହୀ ଟ୍ରେନ୍ କାନପୁର ଅଭିମୁଖେ ଯାତ୍ରା କରୁଥିଲା । ଖାଗା କୋତବାଲିର ପାମ୍ଭିପୁର ନିକଟରେ ଅପ୍ ଲାଇନରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନକୁ ପଛରୁ ପିଟିଥିଲା । ଏଥିରେ ଜଣେ ଲୋକ ପାଇଲଟ୍ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି ।