ଟ୍ରମ୍ପଙ୍କ ଆକ୍ସନ ଉପରେ ଚୀନର ରିଆକ୍ସନ; ଆମେରିକୀୟ ଉତ୍ପାଦ ଉପରେ ୧୫% ଅତିରିକ୍ତ ଟାରିଫ୍ ବୃଦ୍ଧି

Published By : Prameya-News7 Bureau | February 04, 2025 IST

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧକୁ ଚୀନର ପାଲଟା ଜବାବ । ଆମେରିକା ଉପରେ ଅତିରିକ୍ତ ଟାରିଫ୍ ଲଗାଇଛି ବେଜିଂ । ଆମେରିକୀୟ ଉତ୍ପାଦ ଉପରେ ୧୦ରୁ ୧୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ଚୀନ୍ ସରକାର । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଏହି ନିଷ୍ପତ୍ତି ପରେ ବିଶ୍ବୈକ ସ୍ତରରେ ହଲଚଲ ଦେଖିବାକୁ ମିଳିଛି । ଚୀନ ସରକାର ଆମେରିକାର କୋଇଲା ଏବଂ ଏଲଏନଜି ଉତ୍ପାଦ ଉପରେ ୧୫ ପ୍ରତିଶତ ଟିକସ ଲଗାଇଛି । ଏହାସହିତ ଅଶୋଦ୍ଧିତ ତୈଳ ଏବଂ ଅନ୍ୟ ସାମଗ୍ରୀ ଉପରେ ୧୦ ପ୍ରତିଶତ ଟାରିଫ ଯୋଡ଼ିଛି ।  

ସୂଚନା ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ କାନାଡା, ମେସ୍କିକୋ ଏବଂ ଚୀନ ଉପରେ ଟାରିଫ୍ ବୃଦ୍ଧି ପାଇଁ ଆଦେଶରେ ଦସ୍ତଖତ କରିଛନ୍ତି । ଏହି ଅତିରିକ୍ତ ଶୁଳ୍କ ଫେବ୍ରୁଆରୀ ପହିଲାରୁ ଲାଗୁ ହୋଇଛି । ମାତ୍ର ପ୍ରବଳ ବିରୋଧ ପରେ ମେକ୍ସିକୋ ଓ କାନାଡାକୁ ସାମାନ୍ୟ କୋହଳ କରିଛି ଆମେରିକା । ଦୁଇ ଦେଶ ଉପରେ ଲାଗୁ ହେବାକୁ ଥିବା ଟାରିଫ୍ ଅବଧିକୁ ଏକ ମାସ ପାଇଁ ବଢ଼ାଇ ଦିଆଯାଇଛି । ମାତ୍ର ଚୀନକୁ କୌଣସି ସୁବିଧା ମିଳିନାହିଁ । ପୂର୍ବ ଆଦେଶ ଅନୁଯାୟୀ, ବେଜିଂ ଉତ୍ପାଦ ଉପରେ ଟାରିଫ୍ ଲାଗୁ ହୋଇଛି ।   

ଟ୍ରମ୍ପ ସରକାରଙ୍କ ଟାରିଫ୍ ବୃଦ୍ଧି ନିଷ୍ପତ୍ତି ପରେ ରକ୍ତ ଚାଉଳ ଚୋବାଉଛି ଡ୍ରାଗନ । ଚୀନ୍ ସରକାର ନିଜ ବୟାନରେ କହିଛନ୍ତି, ଆମେରିକାର ଏହି ଶୁଳ୍କ ବୃଦ୍ଧି ସେମାନେ ଘୋର ବିରୋଧ କରୁଛନ୍ତି । ବିଶ୍ବ ବ୍ୟବସାୟ ସଂଗଠନରେ ଆମେରିକା ବିରୋଧରେ ଫେରାଦ ହୋଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ  । ଆମେରିକା ବେଆଇନ ଭାବେ ଟାରିଫ୍ ଲାଗୁ କରୁଛି । ଚୀନ ନିଜ ଦେଶର ହିତ ପାଇଁ ପ୍ରତିଶ୍ରୁତିବଦ୍ଧ । ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରଥମ କର୍ଯ୍ୟକାଳରେ ଟାରିଫ୍ ଲଗାଇଥିଲା । ଏହାକୁ ଜାରି ରଖିଥିଲେ ବାଇଡେନ ସରକାର । ଏବେ ପୁଣି ଏହାକୁ ବଢ଼ାଇ ଦେଇଛି ଆମେରିକା । ତେଣୁ ଚୀନ ମଧ୍ୟ ଆମେରିକୀୟ ଉତ୍ପାଦ ଉପରେ ୧୫ ପ୍ରତିଶତ ଅତିରିକ୍ତ ଟାରିଫ୍ ଲଗାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.