ନୂଆଦିଲ୍ଲୀ ୦୫।୦୨; ସିଦ୍ଧୁ ମୁସେୱାଲାଙ୍କ ପରେ ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରୁ ଆଉ ଜଣେ ଗାୟକଙ୍କୁ ଟାର୍ଗେଟ୍ । ତାଙ୍କୁ ହତ୍ୟା କରିବାର ଉଦ୍ୟମ ସୂଚନା ଆସିଛି । କାନାଡାରେ ପଞ୍ଜାବୀ ସିଙ୍ଗରଙ୍କ ବଙ୍ଗଳା ଉପରକୁ ଫାୟାରିଂ କରିବାର ମାମଲା ସାମ୍ନାକୁ ଆସିଛି । କିଛି ଅଜ୍ଞାତ ଦୁର୍ବୁତ୍ତ ପ୍ରେମ୍ ଢିଲ୍ଲୋଂଙ୍କ ବଙ୍ଗଳା ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଘଟଣା ୩ ଫେବୃଆରୀର ବୋଲି କୁହାଯାଉଛି । ସୁରକ୍ଷା ଏଜେନ୍ସି ଏନେଇ ଜୟପାଲ୍ ଭୁଲ୍ଲର ଗ୍ୟାଙ୍ଗ୍ ଉପରେ ସନ୍ଦେହ କରୁଥିବା ବେଳେ ଏହାକୁ ସତ ବୋଲି ଅପରାଧୀ ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ସୂଚନା ଦେଇଛନ୍ତି।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଥିବା ପୋଷ୍ଟରେ ଫାୟାରିଂ ଜେଣ୍ଟା ଖରଡ କରିଥିବା କଥା କୁହାଯାଇଛି । ଜେଣ୍ଟା ଖରଡ ଜୟପାଲ୍ ଭୁଲ୍ଲର ଗ୍ୟାଙ୍ଗ୍ ର ସଦସ୍ୟ ହୋଇଥିବା ବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ରହୁଛି । ଜେଣ୍ଟାକୁ ଖାଲିସ୍ଥାନୀ ଆତଙ୍କୀ ଅର୍ଶ ଡଲ୍ଲାର ନିକଟବର୍ତ୍ତୀ ସହଯୋଗୀ ବୋଲି ମଧ୍ୟ କୁହାଯାଉଛି ।
ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଥିବା ପୋଷ୍ଟରେ ଲେଖାଯାଇଛି ଯେ , ‘ ଆମେ ଅନେକ ଥର ପ୍ରେମ୍ ଢିଲ୍ଲୋଂଙ୍କ ଚାପ୍ଟର ବନ୍ଦ କରିବାକୁ ଚେଷ୍ଟା କରିଛୁ । ପ୍ରଥମେ ସିଦ୍ଧୁ ମୁସେୱାଲା ସହ ସେ ସାମ୍ନାକୁ ଆସିଥିଲେ । କିନ୍ତୁ ସିଦ୍ଧୁଙ୍କ ମୃତ୍ୟୁରେ ମଜା ଉଡାଇ ସହାନୁଭୂତି ସାଉଁଟିବା ପାଇଁ ଗୀତ ଲେଖିଥିଲା ଏ ଗାୟକ । ଆମେ ଏବେ କେବଳ ଡରାଇବା ପାଇଁ ଫାୟାରିଂ କରିଛୁ ଆଉ ଶେଷଥର ପାଇଁ ଚେତାବନୀ ଦେଉଛୁ । ଯଦି ତୁମେ ଏବେ ବି ନ ସୁଧୁରିଛ ତାହେଲେ ତୁମେ ଯୁଆଡେ ବି ଯାଅ ଆମ ନଜରରୁ ବଞ୍ଚିପାରିବ ନାହିଁ । ଆମେ ତୁମକୁ ମାରି ଦେଖାଇଦେବୁ । ସିଦ୍ଧୁ ତୁମ ଭଳି ଜଣେ ସାପକୁ ନିଜ ପାଖରେ ପାଳିଥିଲେ । ତୁମ ଭଳି ସାଙ୍ଗ ରହିବା ଯାହା ଶତ୍ରୁକୁ ପାଖରେ ରଖିବା ତାହା । ନିଜ ଜୁଇ ରେଡ୍ଡି ରଖ ।’