ମୁମ୍ଵାଇ ୦୫।୦୨; ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମହାକୁମ୍ଭକୁ ଯାଉଥିବା ବେଳେ ଓଲଟିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ବସଟି ବିହାରର ପାଟଣାରୁ ମହାକୁମ୍ଭ ଆଡକୁ ଯାଉଥିବା ଜଣାପଡ଼ିଛି। ତେବେ ଏହି ଘଟଣାଟି ଉତ୍ତରପ୍ରଦେଶର ଚନ୍ଦୋଲିରେ ଘଟିଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଗତକାଲି ବସଟି ଶ୍ରଦ୍ଧାଳୁଙ୍କୁ ନେଇ ବିହାରରୁ ମହାକୁମ୍ଭ ଯାଉଥିଲା । ହେଲେ ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଚନ୍ଦୌଲିରେ ବସଟି ଟ୍ରକ ସହିତ ଧକ୍କା ହେବା ପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ସେଥିରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି।
ତେବେ ଏନେଇ ଖବର ପାଇ ଏନଏଚଆଇର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ଏଥିସହ ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି, ଯେଉଁମାନଙ୍କୁ ବାରାଣସୀ ଟ୍ରମା ସେଣ୍ଟରକୁ ରେଫର କରାଯାଇଛି। ଆହତଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା, ପାଞ୍ଚ ଜଣ ପୁରୁଷ ଏବଂ ଦୁଇ ଜଣ ଶିଶୁ ଅଛନ୍ତି। ମୃତକଙ୍କ ବିଷୟରେ କହିବାକୁ ଗଲେ, ଗୋଟିଏ ପରିବାରର ଦୁଇ ଯାଆଙ୍କର ମୃତ୍ୟୁ ହୋଇଛି।