ଆନନ୍ଦପୁର ୧୧।୫: ମା’କୁ ଡାକ୍ତର ଦେଖାଇବାକୁ ବାହାରି ଥିଲେ ସପରିବାର । ହେଲେ ଦୁର୍ଘଟଣାରେ ଚାଲିଗଲା ମା’ର ଜୀବନ । ସେପଟେ ପୁଅ ଓ ନାତୁଣୀ ଗୁରୁତର ହୋଇଥିବା ବେଳେ ବୋହୂ ଓ ଝିଅ ଆହତ ହୋଇଛନ୍ତି । ହେଲେ ଦେଢବର୍ଷର ନାତି ଅଳ୍ପକେ ବର୍ତ୍ତିଯାଇଛି । ଆଜି ଏମିତି ଏକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଶାଳପଡା ଗାଁର ରବି ନାରାୟଣ ମହାପାତ୍ରଙ୍କ ପରିବାରରେ ।
ସୂଚନାଯୋଗ୍ୟ ଯେ, ରବି ନାରାୟଣ ନଜି ମା’ ଜ୍ୟୋସ୍ନାମୟୀଙ୍କୁ ସାଙ୍ଗରେ ଧରି କାର୍ ଯୋଗେ ମୟୁରଭଞ୍ଜ ଜିଲ୍ଲା କେନ୍ଦୁଜୁଆଣିର ଜଣେ ଆୟୁର୍ବେଦ ଚିକିତ୍ସକଙ୍କୁ ଦେଖାଇବାକୁ ଯାଉଥିଲେ । ସାଙ୍ଗରେ ଥିଲେ ପତ୍ନୀ, ନିଜ ଦେଢ ବର୍ଷର ପୁଅ, ଭଉଣୀ ବିଶ୍ବବିଜୟିନୀ ଓ ଭାଣିଜୀ ସଶ୍ମିତା । ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାର ଗୋଡଭଙ୍ଗ ଘାଟି ଅତିକ୍ରମ କରିବା ପରେ ସାମ୍ନା ପଟୁ ଆସୁଥିବା ଏକ ଜାଳେଣୀ ଗ୍ୟାସ୍ ବୋଝେଇ ମିନିଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ମା’ ଜ୍ୟୋସ୍ନାମୟୀଙ୍କ ମୃତ୍ୟୁ ଘଟିଛି । ଗାଡିରେ ଥିବା ଅନ୍ୟମାନଙ୍କ ମଧ୍ୟରୁ ରବି ନାରାୟଣ ଓ ଭାଣିଜୀ ସଶ୍ମିତା ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି । ଦୁର୍ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା । ସେପଟେ ଖବର ପାଇ ମହୁଲଡିହା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
ସାଇକେଲ ଆରୋହୀଙ୍କୁ ମାଡ଼ିବସିଲେ ତିନି ଭାଲୁ, ଲଢ଼େଇ କରି ବଞ୍ଚାଇଲେ ଜୀବନ