ନୂଆଦିଲ୍ଲୀ, ୨୪/୦୮: ‘‘୧୮ ବର୍ଷରୁ କମ୍ ପୁଅ କିମ୍ବା ଝିଅ ମାଆଙ୍କୁ ମାଗିପାରିବେ ଭରଣ ପୋଷଣ।’’ ଉତ୍ତରାଖଣ୍ଡ ହାଇକୋର୍ଟ ନାବାଳକଙ୍କ ଭରଣ ପୋଷଣ ସହ ଜଡ଼ିତ ଏକ ମାମଲାରେ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି ଜଣେ ୧୮ ବର୍ଷରୁ କମ୍ ବୟସର ନାବାଳକ କିମ୍ବା ନାବାଳିକା ସିଆରପିସି ଧାରା ୧୨୫ ଅନୁଯାୟୀ ମାଆଙ୍କ ଠାରୁ ଭରଣପୋଷଣ ପାଇଁ ଦାବି କରିପାରିବେ। ତେବେ ଏଥିପାଇଁ ସର୍ତ୍ତ ହେଉଛି ମାଆଙ୍କ ପାଖରେ ପର୍ଯ୍ୟାପ୍ତ ସାଧନ ଥିବା ଦରକାର।
କୋର୍ଟ ସିଆରପିସିର ଧାରା ୧୨୫ (୧)ର ଉଲ୍ଲେଖ କରିଛନ୍ତି। କୋର୍ଟ କହିଛନ୍ତି ଏଥିରେ ସ୍ପଷ୍ଟ ଯେ, ନାବାଳକର ଭରଣ-ପୋଷଣ ଦାୟିତ୍ବ ସବୁବେଳେ ‘କୌଣସି ବ୍ୟକ୍ତି’ଙ୍କର ହୋଇଥାଏ। ଏଥିପାଇଁ ମାଆଙ୍କ ଠାରୁ ଭରଣ ପୋଷଣ ମାଗିପାରିବେ ପିଲା। ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବ୍ୟକ୍ତି ଶବ୍ଦ କେବଳ ମହିଳା ବୁଝାଉନାହିଁ। ଏହା ଉଭୟ ମହିଳା ଏବଂ ପୁରୁଷକୁ ବୁଝାଉଛି। ଅର୍ଥାତ୍ ଉଭୟ ମାତା-ପିତାଙ୍କୁ ବୁଝାଉଛି। ଉତ୍ତରାଖଣ୍ଡ ହାଇକୋର୍ଟ ବିଚାରପତି ପଙ୍କଜ୍ ପୁରୋହିତ କହିଛନ୍ତି, ମହିଳାଙ୍କ ଶୈକ୍ଷିକ ଏବଂ ଆର୍ଥିକ ସ୍ଥିତିରେ ବହୁତ ବଡ଼ ପରିବର୍ତ୍ତନ ଆସିଛି । ଏକବିଂଶ ଶତାବ୍ଦୀରେ ଅଧିକାଂଶ ମହିଳା ଉଚ୍ଚଶିକ୍ଷିତା ଏବଂ ଲାଭଦାୟକ ରୋଜଗାରରେ ରହିଛନ୍ତି। ଉତ୍ତରାଖଣ୍ଡ ହାଇକୋର୍ଟ ଫ୍ୟାମିଲି କୋର୍ଟଙ୍କ ନିଷ୍ପତ୍ତିକୁ ବଜାୟ ରଖି ଏହି ଟିପ୍ପଣୀ କରିଛନ୍ତି।
ଆହୁରି ପଢ଼ନ୍ତୁ: ସର୍ଜରୀ ଦ୍ୱାରା ଲିଙ୍ଗ ବଦଳାଇବା ସାମ୍ବିଧାନିକ ଅଧିକାର: ଆଲ୍ଲାହବାଦ ହାଇକୋର୍ଟ
ପ୍ରକୃତରେ ଫ୍ୟାମିଲି କୋର୍ଟ ଏକ ସରକାରୀ ଶିକ୍ଷୟିତ୍ରୀ ମାଆଙ୍କୁ ନିଜ ନାବାଳକ ପୁଅକୁ ୨ ହଜାର ଟଙ୍କାର ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଫ୍ୟାମିଲି କୋର୍ଟଙ୍କୁ କୁହାଯାଇଥିଲା ଯେ, ପିଲାର ପିତା ଆର୍ଥିକ ସ୍ଥିତି ଖରାପ ରହିଛି ଏବଂ ତାଙ୍କ ପାଖରେ ପିଲାକୁ ଉତ୍ତମ ଶିକ୍ଷା, ପାଳନ-ପୋଷଣ କିମ୍ବା ଭୋଜନ ଉପଲବ୍ଧ କରିବା ପାଇଁ କୌଣସି ସାଧନ ନାହିଁ। ସୂଚନା ଥାଉକି ପୁଅ ନିଜ ବାପାଙ୍କ ସହ ରହୁଛନ୍ତି। ନାବାଳକଙ୍କ ମାତା-ପିତା ୨୦୦୬ରେ ବିବାହ ବିଚ୍ଛେଦ ହୋଇଥିଲା।
ତେବେ ମାଆ ଫ୍ୟାମିଲି କୋର୍ଟଙ୍କ ଆଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ତାଙ୍କ ଓକିଲ ଯୁକ୍ତି ରଖିଥିଲେ ଯେ, ବିଚ୍ଛେଦ ପରେ ପିଲାର ଭରଣ-ପୋଷଣର କାମ କେବଳ ପିତାଙ୍କ ଉପରେ ରହିଛି, ମାଆ ଉପରେ ନୁହେଁ । କିନ୍ତୁ ଜଷ୍ଟିସ୍ ପୁରୋହିତ ମାଆଙ୍କ ତର୍କକୁ ସ୍ବୀକାର କରିନଥିଲେ। ବିଚାରପତି କହିଥିଲେ ‘‘ଯେଉଁ ନିଷ୍ପତ୍ତି କଥା କହୁଛନ୍ତି ତାହା ୧୯୫୯ ଏବଂ ୧୯୭୭ରେ ପାରିତ ହୋଇଥିଲା । ସେବେଠାରୁ ମହିଳାଙ୍କ ସ୍ଥିତିରେ ବେଶ୍ ପରିବର୍ତ୍ତନ ଆସିଛି।’’ ଏହା ସହ ହାଇକୋର୍ଟ ଫ୍ୟାମିଲି କୋର୍ଟଙ୍କ ୨୦୧୩ ମାର୍ଚ୍ଚର ଆଦେଶ ବିରୋଧରେ ମାଆଙ୍କ ଚାଲେଞ୍ଜକୁ ଖାରଜ କରିଥିଲେ।