କୁଡ୍ଡାଲୋର ୨୨।୨: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ କୌଣସି ପରିସ୍ଥିତିରେ ମଧ୍ୟ ରାଜ୍ୟରେ ଜାତୀୟ ଶିକ୍ଷା ନୀତି (ଏନଇପି) ଲାଗୁ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି। ଶନିବାର କୁଡ୍ଡାଲୁର ବୃଦ୍ଧାଚଲମରେ ଆୟୋଜିତ ‘ସେଲିବ୍ରେଟ ପ୍ୟାରେଣ୍ଟସ୍’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଷ୍ଟାଲିନ କହିଛନ୍ତି ଯେ ଯଦି ତାଙ୍କୁ ୧୦ ହଜାର କୋଟି ଟଙ୍କା ବି ଦିଆଯାଏ ତେବେ ରାଜ୍ୟରେ ସେ ଏନଇପି ଲାଗୁ ନିମନ୍ତେ ସ୍ୱାକ୍ଷର କରିବେ ନାହିଁ।
ଷ୍ଟାଲିନ କହିଛନ୍ତି ଯେ ଏନଇପି ତାମିଲନାଡୁ ଓ ତାମିଲଙ୍କୁ ଶିକାର କରିବାର ଯୋଜନା। ହେଲେ ଆମେ ହିନ୍ଦୀର ଶତ୍ରୁ ନୁହଁ ବୋଲି ସେ କହିଛନ୍ତି। ଏଣୁ ତାମିଲନାଡୁରେ ହିନ୍ଦୀ ପଢିବା କହିବା ଉପରେ ସରକାର କେବେ ରୋକ ଲଗାଇ ନାହାନ୍ତି। ସେ କହିଛନ୍ତି ଯେ ତାମିଲ ଏକ ଜାତି, ତାମିଲନାଡୁ ଏବେ ଦେଖାଇବ ଏହାର ଏକ ଚରିତ୍ର ମଧ୍ୟ ଅଛି। ଯଦି ସେମାନେ ଆମ ଭାଷାକୁ ନଷ୍ଟ କରିବାକୁ ଚାହିଁବେ, ଯଦି ସେମାନେ ଆମ ଭାଷା ଉପରେ ଲଦି ହେବାକୁ ଚେଷ୍ଟା କରିବେ ଆମେ ଏପରି କରିବାକୁ ଦେବୁନି ବୋଲି ଷ୍ଟାଲିନ କହିଛନ୍ତି।
ଷ୍ଟାଲିନ କହିଛନ୍ତି ଯେ ଦୀର୍ଘ ୮୦ ବର୍ଷରୁ ଊର୍ଦ୍ଧ୍ୱକାଳ ହେଲା ଆମେ ଆମ ଉପରେ ଭାଷା ଥୋପା ଯାଉଥିବାରୁ ଲଢେଇ କରିଆସୁଛୁ। କେନ୍ଦ୍ର ସରକାର ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଓ ଗବେଷଣା ନିମନ୍ତେ ୧୪୮୮ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି। ହେଲେ ରାଜ୍ୟରେ ୮ କୋଟି ଲୋକେ କହୁଥିବା ତାମିଲ ଭାଷା ପାଇଁ ମାତ୍ର ୭୪ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏହା ତାମିଲ ପ୍ରତି ଭେଦଭାବ ବୋଲି ଷ୍ଟାଲିନ କହିଛନ୍ତି। ଏଥିରେ ଭାରତ ସରକାର ତାମିଲନାଡୁରେ ଏନଇପି ଲାଗୁ ନିମନ୍ତେ ଚାପ ପକାଇବା ହାସ୍ୟସ୍ପଦ ବୋଲି କହିଛନ୍ତି।