ଡାମାସକସ୍ ୮।୩: ସିରିୟା ସୁରକ୍ଷା ବଳ ଓ ସମ୍ବଦ୍ଧିତ ବନ୍ଧୁକଧାରୀମାନେ ଗୁରୁବାରଠାରୁ ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଅଲାଭୀ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ଓ ଶିଶୁଙ୍କ ସମେତ ୩୪୦ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ସୂଚନା ଏକ ୱାର ମନିଟରିଂ ଅର୍ଗାନାଇଜେସନର ମୁଖ୍ୟ ପୁଷ୍ଟି କରିଛନ୍ତି। ସିରିୟାନ ଅବଜର୍ଭେଟରୀ ଫର ହ୍ୟୁମାନ ରାଇଟସର ରାମି ଅବଦୁଲ ରହମାନ କହିଛନ୍ତି ଯେ ସିରିୟାର ଅଲାଭୀ ଗଡ଼ ଜାବଲେହ, ବନିୟାସ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ହତ୍ୟାକାଣ୍ଡ ହୋଇଛି।
ସିରିୟାରେ ଗତ ୧୩ ବର୍ଷ ହେଲା ଜାରି ଗୃହ ଯୁଦ୍ଧରେ ଏହା ବର୍ଷର ସବୁଠୁ ବଡ଼ ହିଂସା ବୋଲି ଅବଦୁଲ ରହମାନ କହିଛନ୍ତି। ନୂଆ ରୁଲିଂ ଅଥରିଟି ପୂର୍ବତନ ସିରିୟା ରାଷ୍ଟ୍ରପତି ବସର ଅଲ ଅସାଦ ସରକାରଙ୍କ ସମର୍ଥକଙ୍କ ଦ୍ୱାରା ଚଳାଯାଇଥିବା ନୂଆ ବିଦ୍ରୋହକୁ ଦମନ କରିବା ପାଇଁ କାର୍ଯ୍ୟାନୁଷ୍ଠାନ କରୁଛନ୍ତି। ଜନୈକ ସିରିୟା ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଏହି ଭୀଷଣ ସଂଘର୍ଷରେ ସୁରକ୍ଷା ବଳର ଅନେକ ଜବାନ ମଧ୍ୟ ପ୍ରାଣ ହରାଇଛନ୍ତି। ଅପରେସନ କାଳରେ ଅଧିକାରୀମାନେ ଉଲ୍ଲଂଘନ ଅଭିଯୋଗକୁ ମଧ୍ୟ ସ୍ୱୀକାର କରିଛନ୍ତି।
ତେବେ ବଡ଼ ଧରଣର କଥିତ ହିଂସା ଯୋଗୁ କ୍ଷମତାକୁ ଆସିଥିବା ନୂଆ ସରକାରର ଶାସନ କ୍ଷମତା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ଏଥିରେ ଏକ ଗାଁରେ ୧୨ରୁ ଅଧିକ ଅଲାଭୀ ଲୋକଙ୍କୁ ଫାଶୀ ଦେବାର ଘଟଣା ମଧ୍ୟ ଏବେ ସାମ୍ନାକୁ ଆସୁଛି। ତେବେ ସିରିଆ ଅନ୍ତରୀଣ ରାଷ୍ଟ୍ରପତି ଅହମ୍ମଦ ସରା ଶୁକ୍ରବାର ବିଳମ୍ବିତ ରାତ୍ରିରେ ଦମନକୁ ସମର୍ଥନ କରି କହିଥିଲେ ଯେ ଆମେ ଯେତେବେଳେ ଆମର ନୈତିକତାକୁ ଛାଡି ଦେଉ ସେତେବେଳେ ଆମେ ଓ ଆମ ଶତ୍ରୁ ଗୋଟିଏ ପକ୍ଷରେ ଛିଡା ହୋଇଯାଉ। ତେବେ ନାଗରିକ ଓ ବନ୍ଦୀଙ୍କ ସହ କୌଣସି ଅସଦାଚରଣକୁ ବରଦାସ୍ତ କରାଯିବ ନାହିଁ।
ଏଥିରେ ପ୍ରତିରକ୍ଷା ମନ୍ତ୍ରାଳୟ ଓ ଅନ୍ତରୀଣ ସୁରକ୍ଷା ଏଜେନ୍ସୀ ଶନିବାର କହିଛନ୍ତି ଯେ ଉପକୂଳ କ୍ଷେତ୍ରରେ ଶାନ୍ତି ଓ ବ୍ୟବସ୍ଥା ପୁଣି ସ୍ଥାପନା କରିବା ପାଇଁ ନାଗରିକଙ୍କ ବିରୋଧରେ କୌଣସି ପ୍ରକାରର ଆକ୍ରମଣକୁ ରୋକିବାକୁ ଉଦ୍ୟମ କରାଯାଉଛି। ତେବେ ଉପକୂଳ କ୍ଷେତ୍ରରେ କେତେକ ନିବାସୀ କହିଛନ୍ତି ଯେ ଜୀବନ ବଞ୍ଚାଇବା ପାଇଁ ଅଞ୍ଚଳରୁ ହଜାର ହଜାର ଅଲାଭୀ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ଘର ଛାଡି ପଳାୟନ କରିଛନ୍ତି।