ଭୁବନେଶ୍ବର ୧୯।୩: ରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । ସକାଳ ୭ଟାରୁ ୯ଟା ଯାଏଁ ରାଜ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାରହିବ । ତାତି ବଢିଲେ ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ସହିତ ପିଲାଙ୍କ ପାଇଁ ଖାଦ୍ୟ ହୋମ୍ ଡେଲିଭରି କରାଯିବ ।
ସେହିଭଳି ଶ୍ରମିକ ମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରଣ କରାଯାଇଛି । ଦିନ ୧୧ଟାରୁ ଦିନ ୩ଟା ଯାଏଁ ଶ୍ରମିକ ମାନଙ୍କ ପାଇଁ କାମ ବନ୍ଦ ରହିବ । ଏଥିରେ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟା ବାତ୍ୟା ଭଳି ଗ୍ରୀଷ୍ମ ପ୍ରବାହରେ ମଧ୍ୟ ଜିରୋ କାଜୁଆଲଟି ଲକ୍ଷ୍ୟ ରଖାଯାଇଛି । ଛାଇ ପାଇଁ ରାସ୍ତାରେ ବିଭିନ୍ନ ସ୍ଥାନରେ ଛାମୁଡ଼ିଆ କରାଯିବ ଏବଂ ଜଳଛତ୍ର ଖୋଲାଯିବ । ନଳକୂପ ଖନନ ପାଇଁ ଜିଲ୍ଲା ଗୁଡିକୁ ୩୦୦ କୋଟି ଟଙ୍କା ଦିଆଯାଇଛି । ଅଘୋଷିତ ବିଜୁଳି କାଟ୍ ହେବନି । ଦିନ ୧୧ଟାରୁ ୩ଟା ଏବଂ ରାତିରେ ବିଦ୍ୟୁତ୍ କାଟ୍ ହେବନି । କିନ୍ତୁ ଘୋଷିତ ବିଦ୍ୟୁତ୍ କାଟ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରୀଷ୍ମ ଋତୁ ଗୋଟିଏ ମାସ ଆଗରୁ ଆବିର୍ଭାବ ହୋଇଛି । ଦୁଇ ଦିନ ପୂର୍ବେ ଭାରତର ସବୁଠୁ ଉତ୍ତପ୍ତ ଜିଲ୍ଲା ହୋଇଥିଲା ବୌଦ୍ଧ । ସମ୍ବଲପୁର ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିରରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଲାଣି । ଉପକୂଳରେ ବି ତାପମାତ୍ରା ବଢ଼ିଲାଣି । ଆର୍ଦ୍ରତା ବଢୁଛି । ଆଗୁଆ ପଦକ୍ଷେପ ସ୍ଵରୂପ ନିର୍ଦ୍ଦେଶାବଳୀ ଜିଲ୍ଲା ଗୁଡିକୁ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଭାପତିତ୍ବରେ ମଙ୍ଗଳବାର ବୈଠକ ବସିଥିଲା । ଗଣଶିକ୍ଷା, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ, ନଗର ଉନ୍ନୟନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ରାଜସ୍ଵ ବିଭାଗ ନିର୍ଦ୍ଦେଶାବଳୀ ପାଳନ ପାଇଁ କୁହାଯାଇଛି । ଯେଉଁ ଜିଲ୍ଲାରେ ଅଧିକ ତାପମାତ୍ରା ବଢିଲେ ଜିଲ୍ଲାପାଳ ମାନେ ଆବଶ୍ୟକ ମୁତାବକ ପଦକ୍ଷେପ ମାନ ନେବେ ।
You Can Read: