ବଲାଙ୍ଗୀର ୨୪/୨: ପ୍ଲାନ କରି ବରଯାତ୍ରୀରେ ଆସିଥିଲେ । ସୁଯୋଗ ଦେଖି ବରକୁ ହତ୍ୟା କରିଥାନ୍ତେ । ହେଲେ ତା ପୂର୍ବରୁ ଅଭିଯୁକ୍ତଙ୍କ ଷଡଯନ୍ତ୍ରକୁ ଭଣ୍ଡୁର କରିଛି ପୋଲିସ । ୭ ଜଣ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ସହ ୩ ଫେରାର । ବଲାଙ୍ଗୀରରୁ ଆସିଛି ଏପରି ଚାଞ୍ଚଲ୍ୟକର ତଥ୍ୟ ।
ଦେଓଗାଁ ଥାନା ଅନ୍ତର୍ଗତ ଗାଈବାହାଲ ଗାଁର ଘଟଣା । ରବିବାର ରାତିରେ ବାଦୀଜୋରରୁ ଗାଈବାହାଲକୁ ଆସିଥିଲେ ବରଯାତ୍ରୀ । ତେବେ ପୂର୍ବ ଶତ୍ରୁତାରୁ ବରକୁ ମାରିବାକୁ ସାଂଗରେ ଆସିଥିଲେ ୧୦ରୁ ଅଧିକ ଯୁବକ । ସେମାନଙ୍କ କାର୍ଯ୍ୟକଳାପ ଓ ଗତିବିଧି ଉପରେ ଗାଁ ଲୋକଙ୍କ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ପହଞ୍ଚି ଯୁବକମାନଙ୍କୁ କାବୁ କରିଥିଲା । ତେବେ ୭ ଜଣ ଧରାପଡିଥିବାବେଳେ ଆଉ ୩ ଚଂପଟ ମାରିଛନ୍ତି । ସେମାନଙ୍କ ନିକଟରୁ ବିଭିନ୍ନ ହତିଆର ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ଦେଓଗାଁ ଥାନା ପୋଲିସ ।