ଝାରସୁଗୁଡା ୧୯/୧: ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପ୍ରସଙ୍ଗ । ଗଣମାଧ୍ୟମରେ ପୁଣି ବୟାନ ରଖିଛନ୍ତି ଝିଅ ଦୀପାଳି ଦାସ । କହିଛନ୍ତି ସିବିଆଇ ତଦନ୍ତ ପାଇଁ ଲିଖିତ ଦାବି ଜଣାଇବି । ଏ ସଂପର୍କରେ ପରିବାର ଲୋକଙ୍କ ସହ ଆଲୋଚନା କରିଛି । ପୂର୍ବରୁ ମୋହନ ସରକାରଙ୍କୁ ସିବିଆଇ ତଦନ୍ତ ସଂପର୍କରେ ଦାବି କରିଛି । ଆମ ତରଫରୁ ତଦନ୍ତ ବଢାଇବାକୁ ସବୁ ସହଯୋଗ କରାଯିବ ।
ବିଜେପିକୁ ନିଶାନା କରି କହିଛନ୍ତି ପୂର୍ବରୁ ବିଜେପି ଅଭିଯୋଗ କରୁଥିଲା ମୁଁ ମୁହଁ ଖୋଲୁନି । ଏବେ ମୁହଁ ଖୋଲିବା ପରେ ବିଜେପି ଚୁପ୍ କାହିଁକି ? ପ୍ରକୃତରେ ଯଦି ନବଦାସ ହତ୍ୟାକାଣ୍ଡର ରହସ୍ୟ ଖୋଲିବାକୁ ଚାହୁଁଚି ବିଜେପି ସରକାର ସିବିଆଇ ତଦନ୍ତ ପାଇଁ ଆଦେଶ ଦେବାକୁ ମୁଁ ଆହ୍ବାନ ଦେଉଛି ।
ଖୋଲିବ କି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇଲ୍ ? ଏହି ହାଇପ୍ରୋଫାଇଲ ହତ୍ୟା ମାମଲାରେ ହେବ କି ସିବିଆଇ ତଦନ୍ତ ? କିଛି ଦିନ ତଳେ ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି କହିଥିଲେ ସରକାର ନିଜ ଆଡୁ ସିବିଆଇ ତଦନ୍ତ ଆଗକୁ ବଢାଇବେ କି ? ଜବାବରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଦୀପାଳି ବିଧାନସଭାରେ ଏ ତଥ୍ୟ ରଖନ୍ତୁ । ଶନିବାର ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ସତ ସାମ୍ନାକୁ ଆସିବା ଦରକାର ବୋଲି ମତ ରଖିଥିଲେ । ଏବେ ପୁଣି ଦୀପାଳି ବୟାନ ରଖିବା ପରେ ସରକାର ସିବିଆଇ ତଦନ୍ତ ଦିଗରେ କଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ।
୨୦୨୩, ଜାନୁଆରୀ ୨୯ । ସମସ୍ତଙ୍କ ସାମ୍ନାରେ ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ରାଜନେତା ନବ ଦାସଙ୍କୁ ହତ୍ୟା କରଗଲା । ପ୍ରାୟ ୨ ବର୍ଷ ପରେ ବି ରହସ୍ୟ ଘେରରେ ମର୍ଡର ମିଷ୍ଟ୍ରି । ଝାରସୁଗୁଡା କୋର୍ଟରେ ମାମଲାର ବିଚାର ଚାଲିଛି । ଘଟଣାର ତଦନ୍ତ ସାରି ଚାର୍ଜସିଟ୍ ଦାଖଲ କରିସାରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଆସିଷ୍ଟାଣ୍ଟ ପୋଲିସ ସବଇନ୍ସପେକ୍ଟର ଗୋପାଳ ଦାସ ଏବେ ଜେଲ୍ରେ । ଗୋପାଳ ଦାସ ନିଜର ସର୍ଭିସ ରିଭଲଭରରୁ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି ।ଏମିତିକି ଗୋପାଳ ଏକମାତ୍ର ଅଭିଯୁକ୍ତ ଓ ପୁରୁଣା ରାଗ ସୁଝାଇବାକୁ ଏପରି କାଣ୍ଡ କରିଥିବା ଚାର୍ଜସିଟରେ ଦର୍ଶାଯାଇଛି । ତେବେ ଫରେନସିକ ଓ କ୍ରାଇମବ୍ରାଞ୍ଚ ରିପୋର୍ଟରେ ତାଳମେଳ ରହୁନଥିବା ସ୍ପଷ୍ଟ ହୋଇଛି ।