ନବ ଦାସ ହତ୍ୟା ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପତ୍ନୀ ମୀନତି ଦାସ

Published By : Prameya-News7 Bureau | March 17, 2025 IST

ଝାରସୁଗୁଡ଼ା ୧୭।୦୩ : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ ଦାସଙ୍କ ପତ୍ନୀ । ଏକ ମେଲ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ମୀନତି ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପ୍ରସଙ୍ଗରେ ଲିଖିତ ଆବେଦନ କରିପାରନ୍ତି ନବ ଦାସଙ୍କ ପତ୍ନୀ । 

ନବ ଦାସଙ୍କ ହତ୍ୟା ଘଟଣାକୁ ଇତିମଧ୍ୟରେ ୨ ବର୍ଷ ବିତିବାକୁ ବସିଲାଣି । ତଥାପି ମାମଲାରେ ତଦନ୍ତକୁ ନେଇ ସମୟ ସମୟରେ ଚର୍ଚ୍ଚା ଆଲୋଚନା ହେଉଛି । ବିଭିନ୍ନ ମହଲରୁ ସିବିଆଇ ତଦନ୍ତ ପାଇଁ ଦାବି ମଧ୍ୟ ଉଠୁଛି । ଏପିରିକି କିଛି ଦିନ ତଳେ ନବ ଦାସଙ୍କ ପରିବାର ଲୋକ ମଧ୍ୟ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ଯାହାପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ନବ ଦାସଙ୍କ ପୁଅ ବିଶାଳ ଏବଂ ଝିଅ ଦୀପାଳିଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲେ । କିନ୍ତୁ ଉଭୟ କ୍ରାଇମବ୍ରାଞ୍ଚକୁ ନଆସି ଅଧିକ ସମୟ ମାଗିଥିଲେ । ପରେ ଘରେ ରହି ବୟାନ ରେକର୍ଡ କରିବାକୁ କହିଥିଲେ । ସେହିପରି ଯଦି ଘଟଣାର ସିବିଆଇ ତଦନ୍ତ କରିବାକୁ ପରିବାର ଲୋକ ଚାହୁଁଛନ୍ତି । ତେବେ ପରିବାର ପକ୍ଷରୁ ସରକାରଙ୍କୁ ଲିଖିତ ଭାବେ ଜଣାଇବାକୁ କହିଥିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଉ ଏବେ ପରିବାର ପକ୍ଷରୁ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇଥିବା ଅନୁମାନ କରାଯାଉଛି । ନବ ଦାସଙ୍କ ପତ୍ନୀ ଏକ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଛନ୍ତି । ଯେଉଁଥିରେ ସାକ୍ଷାତ ପାଇଁ ସମୟ ମାଗିଛନ୍ତି । ଏହି ସାକ୍ଷାତକାରରେ ନବ ଦାସ ହତ୍ୟା ମାମଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଦାବି କରିପାରନ୍ତି ବୋଲି ସୂଚନା ରହିଛି ।  

ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ଜାନୁଆରୀ ୨୯ ତାରିଖ ମଧ୍ୟାହ୍ନ ସମୟରେ ଝାରସୁଗୁଡ଼ାରେ ଏକ ରାଲି ଚାଲିଥିବା ସମୟରେ ତତ୍‌କାଳନୀ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା । ଯେଉଁଥିରେ ସେ ଘଟଣାସ୍ଥଳରେ ହିଁ ଅଚେତ ହୋଇ ପଡିଯାଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ନବ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । ତେବେ ନବ ଦାସଙ୍କ ଏହି ଗୁଳିମାଡ଼ ଘଟଣାରେ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.