ନୂଆଦିଲ୍ଲୀ ୧୨।୧୨ : ଆକ୍ସନରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଏକାସାଙ୍ଗେ ଦେଶର ୫ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଆତଙ୍କୀ ଲିଙ୍କ ନେଇ ଏହି ସବୁ ରାଜ୍ୟର ପ୍ରାୟ ୧୯ଟି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଗୁରୁବାର ଦିନ ସକାଳୁ ସକାଳୁ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜେସ୍-ଇ ମହମ୍ମଦ ସଂସ୍ଥା ସହିତ ଦେଶରେ କିଛି ସ୍ଥାନରେ ଲିଙ୍କ ଥିବା ନେଇ ଚଢାଉ ଜାରି ରହିଛି । ଚଢାଉ ହେଉଥିବା ରାଜ୍ୟ ମଧ୍ୟରେ ଜାମ୍ମୁ-କାଶ୍ମୀର, ଆସାମ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜୁରାଟର କିଛି ଅଞ୍ଚଳ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଚଢାଉରେ କେତେ ପରିମାଣର ତଥ୍ୟ ହସ୍ତଗତ ହୋଇଛି । ସେନେଇ ସଠିକ୍ ସୂଚନା ମିଳିନାହିଁ । ରେଡ୍ ଶେଷ ପରେ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।
ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଠକ୍ କରିବା ଏବଂ ତାଙ୍କୁ ସହଯୋଗ କରୁଥିବା ଲୋକଙ୍କ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ଲଗାତର ଭାବେ ଉଦ୍ୟମ ଜାରି ରଖିଛନ୍ତି । ସେହିପରି ବୁଧବାର ଦିନ ମଧ୍ୟ ଗାଙ୍ଗଷ୍ଟାରଙ୍କ ସହ ଲିଙ୍କ ନେଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଏହି ଚଢାଉରେ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ଅନେକ ତଥ୍ୟ ମିଳିଥିବା ସୂଚନା ମିଳିଛି ।