ଭୁବନେଶ୍ୱର ୦୨/୦୧: ଭାରତୀୟ ପାଣିପାଗ କେନ୍ଦ୍ର ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ଭାବ୍ୟ ବର୍ଷାକୁ ନେଇ ନୂଆ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ କହୁଛି, ଏଥର ଜାନୁଆରୀରୁ ମାର୍ଚ୍ଚ ଭିତରେ ଉତ୍ତର ପଶ୍ଚିମ ଭାରତକୁ ଛାଡ଼ିଦେଲେ ବାକି ସବୁଠି ବର୍ଷା ସ୍ୱାଭାବିକଠାରୁ ଅଧିକ ରହିପାରେ । ସମ୍ଭାବ୍ୟ ଚିତ୍ର ଦର୍ଶାଉଛି, ଓଡ଼ିଶାରେ ବି ଆଗାମୀ ୩ ମାସ ଅଧିକ ବର୍ଷା ହୋଇପାରେ ।
ଜାନୁଆରୀ ମାସରେ ବି ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ଏହି ସମ୍ଭାବ୍ୟ ଚିତ୍ର ଅନୁସାରେ ଏଥର ଜାନୁଆରୀରେ ଓଡ଼ିଶାରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ । ସ୍ୱାଭାବିକଠାରୁ ଅଧିକ ରହିବ ରାତି ତାପମାତ୍ରା । ହେଲେ ଦିନ ତାପମାତ୍ରା ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ କମ୍ ରହିପାରେ ।
ମାତ୍ର ଉପକୂଳର କିଛି ଅଞ୍ଚଳରେ ଦିନ ତାପମାତ୍ରା ଅଧିକ ରହିବା ସମ୍ଭାବନା ଅଛି । କଲବଲ କରୁଛି ପ୍ରବଳ ଜାଡ଼ । ଶୀତରେ ଦେହ ଥରି ଉଠୁଛି । ବୁଧବାର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା । ସେହିପରି ଅଳ୍ପରୁ ମଧ୍ୟମ ଧରରଣ କୁହୁଡ଼ି ନେଇ ଆକଳନ କରାଯାଇଛି ।
କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ନୟଗଡ଼ରେ ଅଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ। ତେବେ ଆଗାମୀ ୪ ଦିନ ତାପମାତ୍ରାରେ ବେଶୀ ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ କହିଛି । ଡିସେମ୍ବରରେ ଦୁଇଟି ପର୍ୟ୍ୟାୟରେ ୧୦ ଦିନ ରାଜ୍ୟରେ ଶୀତ ଅନୁଭୂତ ହୋଇଥିଲା ।