ଭୁବନେଶ୍ଵର: ଏଥର ‘ମନ ଝୁରେ ସେଇ ସୁରେ’ରେ ପରିବେଶ ଥିମ୍। ନ୍ୟୁଜ7ର ଜିରୋ ନାଇଟ୍ ସେଲିବ୍ରେସନରେ ଶୁଣିବାକୁ ମିଳିବ ପ୍ରକୃତି ଓ ପରିବେଶର ସ୍ଵର। ରାଜ୍ୟର ବଛା ବଛା ଉଦୀୟମାନ କଳାକାରଙ୍କ କଣ୍ଠରେ ପୁରୁଣା ଗୀତ ସହ ଏପରି ଏକ ପରିକଳ୍ପନା ଏକ ଭିନ୍ନ ପ୍ରୟାସ। ପୁରୁଣା ବର୍ଷକୁ ବିଦାୟ ଓ ନୂଆବର୍ଷକୁ ସ୍ଵାଗତର ସନ୍ଦିକ୍ଷଣରେ ପ୍ରସାରଣ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ ସାମିଲ ଥିବା କଣ୍ଠ ଶିଳ୍ପୀମାନେ ହେଲେ ବିଷ୍ଣୁମୋହନ କବି, ସୋହିନୀ ମିଶ୍ର, ସୌରଭ ନାୟକ, ସୁଶାନ୍ତ ପଣ୍ଡା, ସ୍ମରଣିକା ନାୟକ ଓ ଅବିନାଶ ଦାଶ ପ୍ରମୁଖ।
ହାସ୍ୟ ଅଭିନେତା ଦେବୁ ବ୍ରହ୍ମା ଓ ଦେବୀ ବାରିକଙ୍କର କିଛି ହାସ୍ୟ ଅଭିନୟ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ଏହି କାର୍ଯ୍ୟକ୍ରମର ସଂଯୋଜନା କରିଛନ୍ତି ଲୋକପ୍ରିୟ ଅଭିନେତା ତଥା ଉପସ୍ଥାପକ ସୁକାନ୍ତ ରଥ। ଡିସେମ୍ବର ୩୧ ତାରିଖ ମଙ୍ଗଳବାର ରାତି ୧୦ଟାରୁ ଆରମ୍ଭକରି ଦୀର୍ଘ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଏହା ପ୍ରସାରଣ ହେବ। ପରିବେଶକୁ ନେଇ ନୂଆ ବର୍ଷଠାରୁ ଆରମ୍ଭ ହୋଇଥିବା ଏହି ଥିମ୍ରେ ୨୦୨୫ରେ ବର୍ଷ ତମାମ୍ ସାରା ରାଜ୍ୟରେ ବହୁ ଜାଗାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ନେଇ ପ୍ରସ୍ତାବ ନେଇଛି।