ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ : ଆସନ୍ତା ୩ ଦିନରେ ତାପମାତ୍ରା ବଢ଼ିପାରେ ୩ ଡିଗ୍ରୀ

Published By : Prameya-News7 Bureau | May 14, 2025 IST

ଭୁବନେଶ୍ୱର ୧୪।୦୫ : ଦିନରେ ତତାଇବ । କଲବଲ କରିବ । ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଆସନ୍ତା ତିନି  ଦିନରେ ଅନେକ ସ୍ଥାନର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିଯିବ । ଦିନବେଳା ଗରମ ଓ ଗୁଳୁଗୁଳି ନାକେଦମ କରିବ । କିନ୍ତୁ ସନ୍ଧ୍ୟାରେ ମାଡ଼ି ଆସିବ କାଳବୈଶାଖୀ । ଦକ୍ଷିଣ ଓଡ଼ିଶାରେ  ଘଡ଼ଘଡ଼ି ସହ ବର୍ଷା ହେବ । ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବି   ଡରାଇବ କାଳବୈଶାଖୀ । ପାଣିପାଗ  ବିଭାଗ ଏଭଳି ପୂର୍ବାନୁମାନ କରିଛି । 

ଆକଳନ କହୁଛି, ବୁଧବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,  ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର,  ବୌଦ୍ଧ ଓ ସମ୍ବଲପୁରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ ।  ପୁରୀ, ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ରହିବ ।  ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୦  ଡିଗ୍ରୀ ବା ଏହାଠାରୁ ଅଧିକ ରହିବ । ଆଗାମୀ ତିନି  ଦିନ ଯାଏ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  

ସେହିଭଳି ବୁଧବାର ସନ୍ଧ୍ୟାରେ ମାଲକାନଗିରି,  କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ  ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପବନର ଝଟ୍‌କା  ୪୦ରୁ ୫୦ କିମି ଛୁଇଁପାରେ । ସେହିଭଳି ପୁରୀ,  ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, କନ୍ଧମାଳ, ଭଦ୍ରକ,  ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ,  ବଲାଙ୍ଗୀର, କଳାହାଣ୍ଡି ଓ କଟକରେ ମଧ୍ୟ ଅପରାହ୍ନ  ବା ସନ୍ଧ୍ୟା ବେଳକୁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । 

ଗୁରୁବାର (୧୫ ତାରିଖ) ମଧ୍ୟ ପଶ୍ଚିମ ଓଡ଼ିଶାରେ   ଅସମ୍ଭାଳ ତାତି ହେବ । ଉପକୂଳ ଓଡ଼ିଶାରେ ଗରମ   ଓ ଗୁଳୁଗୁଳି ଜାରି ରହିବ । ସନ୍ଧ୍ୟାରେ ମାଲକାନଗିରି,  କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ଘଡ଼ଘଡ଼ି  ସହ ବର୍ଷା ହୋଇପାରେ । ପବନର ଝଟ୍‌କା ୪୦ରୁ ୫୦  କିମି ବେଗ ଛୁଇଁପାରେ । 

ଶୁକ୍ରବାର ଓ ଶନିବାର ମଧ୍ୟ  କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ଦକ୍ଷିଣ  ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି   ସହ ବର୍ଷା ହୋଇପାରେ । ୧୮ ଓ ୧୯ ତାରିଖରେ ମଧ୍ୟ   କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ସନ୍ଧ୍ୟାରେ ବର୍ଷା  ସମ୍ଭାବନା ଥିବାରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । 

 

ମଙ୍ଗଳବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ   ସାଗର ଛୁଇଁଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ  ବଙ୍ଗାପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର  ଦୀପ ଓ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ  ଅଗ୍ରସର ହୋଇଛି । ଆଗାମୀ ୩ରୁ ୪ ଦିନ ଭିତରେ ଦକ୍ଷିଣ  ଆରବ ସାଗରର କିଛି ଅଂଶ, ମାଳଦ୍ୱୀପ ଓ କୋମାରିନ୍‌  ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ, ପୂରା  ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଆଣ୍ଡାମାନ ସାଗରର  ଅବଶିଷ୍ଟ ଅଂଶ, କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶକୁ  ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ।  

ଆଣ୍ଡାମାନ ସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ   ସୃଷ୍ଟି ହୋଇଛି । ଆସନ୍ତା ୧୬ରୁ ୧୮ ତାରିଖରେ   ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।   ୨୩ରୁ ୨୮ ତାରିଖ ଭିତରେ ଏହା ଅଧିକ ଘନୀଭୂତ   ହୋଇ ବାତ୍ୟା ରୂପ ନେଇପାରେ ବୋଲି ବାଂଲାଦେଶର   ଜଣେ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । କିନ୍ତୁ  ଭାରତୀୟ ପାଣିପାଗ ବିଭାଗ ଏ ନେଇ କୌଣସି ଆକଳନ  କରିନି । ଆଇଏମ୍‌ଡିର ଜଣେ ପାଣିପାଗ ବିଜ୍ଞାନୀ କହିଛନ୍ତି,  ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଶକ୍ତିଶାଳୀ ରହିଛି ।  ଏହା କେରଳରେ ସ୍ୱାଭାବିକ ସମୟଠାରୁ ୨ ଦିନ ଆଗୁଆ  ପହଞ୍ଚିପାରେ । ମୌସୁମୀ ବାୟୁ ଶକ୍ତିଶାଳୀ ଥିବାରୁ  ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ବି ଏହା  ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍‌ ।    

 

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.