ଜମ୍ମୁ୨୨।୩: ଜମ୍ମୁ-କାଶ୍ମୀର ସରକାର ଅମରନାଥ ଧାମ ପର୍ଯ୍ୟନ୍ତ ରୋପ-ୱେ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ରୋପ-ୱେ ନିର୍ମିତ ହେଲେ ବାର୍ଷିକ ଅମରନାଥ ଯାତ୍ରା ସୁଗମ ହେବା ସହିତ ତୀର୍ଥ ଯାତ୍ରୀଙ୍କୁ ନୂଆ ଅନୁଭବ ମିଳିବ। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଯାତ୍ରାକୁ ଶରଳ ଓ ସୁଲଭ କରିବା, ଯାହା ଦ୍ୱାରା ବାବା ବର୍ଫାନୀଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କୁ ଆଉ କଠିନ ଉଚ୍ଚତା ଆରୋହଣ କରିବାକୁ ପଡିବ ନାହିଁ ଓ ସହଜରେ ବାବାଙ୍କ ଦର୍ଶନ କରିପାରିବେ।
ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି ଯେ ବାଲଟାଲରୁ ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ପର୍ଯ୍ୟନ୍ତ ୧୧.୬୦ କିଲୋମିଟର ରୋପ-ୱେ ନିର୍ମିତ ହେବ। ଏଥି ଲାଗି ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବାକୁ ଟେଣ୍ଡର ଆହ୍ୱାନ କରାଯାଇଛି। ଏହା ଛଡା ଜମ୍ମୁ-କାଶ୍ମୀରର ଅନ୍ୟ ସ୍ଥାନମାନଙ୍କରେ ଯେପରି କି ଶଙ୍କରାଚାର୍ଯ୍ୟ ମନ୍ଦିର, ଭଦ୍ରବାହ-ସିୟୋଝଦାର ଓ ସୋନମର୍ଗରୁ ଥାଜିବାସ ଗ୍ଲେସିୟର ମଧ୍ୟରେ ରୋପ-ୱେ ନିର୍ମାଣ କାର୍ଯ୍ୟ ଚାଲିଛି।
ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଲାଭବାନ ହେବେ। ସେମାନଙ୍କ ତୀର୍ଥ ଯାତ୍ରା ସହଜ ଓ ସୁଗମ ହେବ। ଖାସ କରି ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ଯେତିକି କଷ୍ଟକର ମାର୍ଗ ଅତିକ୍ରମ କରିବାକୁ ପଡେ ସେଥିରୁ ତୀର୍ଥଯାତ୍ରୀଙ୍କୁ ରକ୍ଷା ମିଳିଯିବ। ଏବେ ବହୁ ସଂଖ୍ୟାରେ ତୀର୍ଥ ଯାତ୍ରୀ ବାର୍ଷିକ ଅମରନାଥ ଯାତ୍ରାକୁ ପହଞ୍ଚୁଛନ୍ତି। ସରକାରଙ୍କ ଏହି ଯୋଜନା ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ଓ ଶ୍ରଦ୍ଧାଳୁଙ୍କ ତୀର୍ଥ ଯାତ୍ରା ଭଲ ଅନୁଭବ ଦେବ।