ପୁରୀ ୧୩।୪: ଓଡ଼ିଆ ନବବର୍ଷ ଅବସରରେ ପ୍ରକାଶ ପାଇଛି ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା କ୍ୟାଲେଣ୍ଡର । ପୂର୍ବରୁ ଏହି କ୍ୟାଲେଣ୍ଡର ମୁଦ୍ରଣ ପରେ ଦେବାର୍ପଣ ହୋଇଥିବା ବେଳେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଲୋକାର୍ପିତ ହୋଇଛି । ସେହିପରି ପ୍ରଥମ ଥର ଲାଗି ପ୍ରକାଶିତ ଶ୍ରୀମନ୍ଦିରର ସୁଦୃଶ୍ୟ ସୂଚନା ପୁସ୍ତିକାର ମଧ୍ୟ ଲୋକାର୍ପଣ ହୋଇଛି ।
ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ବର୍ଷ ତମାମ (୨୦୨୫ ମସିହାର ମହାବିଷୁବ ସଂକ୍ରାନ୍ତି ଠାରୁ ୨୦୨୬ ମସିହା ରାମାଭିଷେକ ନୀତି ପର୍ଯ୍ୟନ୍ତ) ଶ୍ରୀମନ୍ଦିରରେ ପାଳିତ ହେବାକୁ ଥିବା ସମସ୍ତ ପର୍ବପର୍ବାଣି ଦିନ ତଥା ଯାନିଯାତ୍ରା ଦିବସଗୁଡିକର ସୂଚନା ଏହି କ୍ୟାଲେଣ୍ଡରରେ ରହିଛି । ଶ୍ରୀମନ୍ଦିର ସେବକ ନିଯୋଗଗୁଡିକ ସହ ମୁକ୍ତିମଣ୍ଡପ ଏବଂ ରାଜ୍ୟର ପ୍ରମୁଖ ପାଞ୍ଜିକାରଙ୍କୁ ନେଇ ବିସ୍ତୃତ ଆଲୋଚନା ପରେ ଶ୍ରୀମନ୍ଦିରରେ ପାଳିତ ହେବାକୁ ଥିବା ପର୍ବପର୍ବାଣି ତିଥିଗୁଡିକ ସ୍ଥିରୀକୃତ ହୋଇଛି ।
ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ସୂଚନା କେନ୍ଦ୍ରଗୁଡିକରେ ଏହି କ୍ୟାଲେଣ୍ଡର ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ କ୍ରୟ ପାଇଁ ଉପଲବ୍ଧ ହେବ । ଓଡ଼ିଆ ନବବର୍ଷ ଅବସରରେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ଅଭିନନନ୍ଦନ ଜଣାଇବା ସହ ମହାପ୍ରଭୁଙ୍କ ପାଦପଦ୍ମରେ ସମସ୍ତଙ୍କ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶୀର୍ବାଦ ଭିକ୍ଷା କରିଛନ୍ତି ।
You Can Read:
ପୁଣି ଥରେ ଶ୍ବଶୁର ଘରେ ବୋମାମାଡ଼ କରିବାକୁ ଆସି ଜ୍ବାଇଁ ଗିରଫ, ୪ଟି ଅଫୁଟା ବୋମା ଜବତ