ଭୁବନେଶ୍ବର ୧୩।୮: ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା ହ୍ରାସ କରିବା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ରାଜ୍ୟରେ ବିଜେପି ସରକାର ବର୍ତ୍ତମାନ ଗଣତାନ୍ତ୍ରିକ ପଦ୍ଧତିକୁ ମାରିଦେବାକୁ ଯାଉଛନ୍ତି । ଏମାନେ ଭୋଟ୍ ଚୋରିରୁ ବ୍ଲକ୍ ଚୋରିକୁ ଗଲେଣି । କ୍ଷମତା କମାଇ ସମ୍ବିଧାନକୁ ହତ୍ୟା କରୁଛନ୍ତି । ଏମାନେ କହୁଥିଲେ ଆମେ ବାବୁଙ୍କ କ୍ଷମତା ହ୍ରାସ କରି ଜନ ପ୍ରତିନିଧିଙ୍କୁ କ୍ଷମତା ଦେବୁ । ହେଲେ ଏମିତି ନ କରି । ବାବୁଙ୍କ ହାତରେ କ୍ଷମତା ଟେକି ଦେଉଛନ୍ତି । ବର୍ତ୍ତମାନ ବିଜେଡିର ୯୦ ଭାଗ ବ୍ଲକ ଅଧ୍ୟକ୍ଷ । ଅଧ୍ୟକ୍ଷଙ୍କୁ ଭାଙ୍ଗିବେ ବୋଲି ଚେଷ୍ଟା କରୁଥିଲେ । ତାହା ହୋଇ ପାରିଲା ନାହିଁ । ଏପରି କ୍ଷମତା ହ୍ରାସ କରିବା ହତ୍ୟା ସହ ସମାନ । ଏହା ସିରିଜ୍ ଚାଲିଛି । ଏ ନିଷ୍ପତ୍ତି ପରିବର୍ତ୍ତନ ନହେଲେ ବ୍ଲକ୍ ଅଧ୍ୟକ୍ଷ କୋର୍ଟଙ୍କ ଆଶ୍ରୟ ନେବେ । ଆନ୍ଦୋଳନ ହେବ ବୋଲି ଅରୁଣ ସାହୁ କହିଛନ୍ତି ।
ସେହିଭଳି, କଂଗ୍ରେସ ବିଧାୟକ ସି ଏସ୍ ରାଜନ ଏକ୍କା କହିଛନ୍ତି, ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି । ଆଗକୁ ବିଧାନସଭାରେ କଂଗ୍ରେସ ପ୍ରସଙ୍ଗ ଉଠେଇବ । ଯେହେତୁ ବିଜେପିର କମ୍ ସଂଖ୍ୟକ ବ୍ଲକ୍ ଅଧ୍ୟକ୍ଷ ରହିଛନ୍ତି ଜାଣିଶୁଣି ସରକାର ଏଭଳି କରୁଛନ୍ତି ବୋଲି ସି ଏସ୍ ରାଜନ ଏକା କହିଛନ୍ତି ।
ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି, ଲୋକଙ୍କ ସୁବିଧା ସରକାର ଅନୁଭବ କରି ଏହା କରିଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ସଂଶୋଧନ କରାଯାଇଥାଏ । ଏହା ଲୋକଙ୍କ ହିତ ଦୃଷ୍ଟିରୁ ଏବଂ ଓଡ଼ିଶାର ବିକାଶ କିଭଳି ଅଧିକରୁ ଅଧିକ ହୋଇପାରିବ । ଏହା କାହା ପ୍ରତି କୁଠାରଘାତ ନୁହେଁ । ଜଣେ ପ୍ରତିନିଧି ଲୋକ ଏବଂ ଅଞ୍ଚଳ ପାଇଁ ନିର୍ବାଚିତ ହୋଇଥାଏ, ଯେତେବେଳେ ଲୋକଙ୍କର କିମ୍ବା ଅଞ୍ଚଳର କାମ ନ ହେବ ଉନ୍ନତି ନ ହେବ, ସେତେବେଳେ ସ୍ୱର ଉଠିବ । ୨୦୩୬ ଏବଂ ୨୦୪୭ ମସିହାରେ ଓଡ଼ିଶା ବହୁ ଆଗରେ ରହିବ । ଓଡ଼ିଶାର ସାମଗ୍ରୀକ କ୍ଷେତ୍ରରେ ଉନ୍ନତି ହେବ ବୋଲି ମନ୍ତ୍ରୀ କହିଛନ୍ତି ।
କରୋନା ସମୟରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିଲେ ବି ସେମାନେ ଜିଲ୍ଲାପାଳ ହୋଇପାରି ନଥିଲେ । ପୂର୍ବ ସରକାର ଏମିତି ସେମାନଙ୍କୁ ଅବସ୍ଥା କଲେ, ଗ୍ରାମସଭା କିମ୍ବା ପଲ୍ଲୀସଭା ହୋଇପାରିଲା ନାହିଁ । ପୂର୍ବ ସରକାର ସମୟର ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆମେ ଦେଖିଛୁ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତାରେ ଲଗାମ କଷିଲେ ସରକାର, ଏଣିକି କ୍ଷମତାଶାଳୀ ହେବେ ବିଡିଓ