ବଲାଙ୍ଗିର ୪।୪: ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ୍ ସିଲିଣ୍ଡର । ଅଳ୍ପକେ ବର୍ତ୍ତିଲେ ଦୁଇ ନବଜାତ ଶିଶୁ କନ୍ୟା ଓ ମା' । ୧୦୮ ଆମ୍ବୁଲାନ୍ସ ଯୋଗେ ଗୋଟିଏ ମେଡିକାଲରୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ସମୟରେ ଘଟିଛି ଅଘଟଣ । ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ବ୍ଲାଷ୍ଟ ହୋଇ ଜଣେ ଗୁରୁତର ହୋଇଛନ୍ତି । ନବଜାତ ଶିଶୁର ବାପା ସାମାନ୍ୟ ଆହତ ହୋଇଥିବା ବେଳେ ବୁଢୀ ମା’ ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗୁରୁବାର ମଧ୍ୟରାତିରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଚିକନିବାହାଳୀ ଗାଁର ରାଧାଯାନୀ ପ୍ରସବ ଯନ୍ତ୍ରଣା ଯୋଗୁଁ ଟିଟିଲାଗଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଭୋର ସମୟରେ ସେ ଯାଆଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ ବଲାଙ୍ଗୀର ମେଡିକାଲକୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର ସମୟରେ ଅକ୍ସିଜେନ ସିଲିଣ୍ଡର ବ୍ଲାଷ୍ଟ ହୋଇଛି । ବିସ୍ଫୋରଣରୁ ଦୁଇ ଶିଶୁ କନ୍ୟା ଓ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନଙ୍କୁ ଆମ୍ବୁଲାନ୍ସରୁ ସୁରକ୍ଷିତ ବାହାର କରାଯାଇଥିବା ବେଳେ ଶିଶୁଙ୍କ ବୁଢ଼ୀମା’ ଦୁତୀୟା ଭୋଇ ନିଆଁରେ ପୋଡି ଗୁରୁତର ହୋଇଛନ୍ତି । ଶିଶୁଙ୍କ ବାପା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।
ନବଜାତ ଦୁଇ ଶିଶୁ ଓ ମା’ଙ୍କୁ ବଲାଙ୍ଗୀର ଏମସିଏଚକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ସ୍ଥାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି । ଗୁରୁତର ବୁଢ଼ୀମା' ଓ ବାପାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କୁ ଚିକିତ୍ସା କରାଯାଉଛି । ତେବେ ଅକ୍ସିଜେନ୍ ସିଲିଣ୍ଡରଟି କେମିତି ବ୍ଲାଷ୍ଟ୍ ହେଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
You Can Read:
ମହଙ୍ଗା ପଡିଲା ଠିକା ସଂସ୍ଥାର ବିଲ୍ ନଦେବା, ୩ଟି ଅଫିସର ଆସବାବପତ୍ର ଜବତ ନିର୍ଦ୍ଦେଶ