ମହଙ୍ଗା ପଡିଲା ଠିକା ସଂସ୍ଥାର ବିଲ୍ ନଦେବା, ୩ଟି ଅଫିସର ଆସବାବପତ୍ର ଜବତ ନିର୍ଦ୍ଦେଶ

Published By : Prameya-News7 Bureau | April 04, 2025 IST

ସମ୍ବଲପୁର ୦୪/୪:  ମହଙ୍ଗା ପଡିଛି ଠିକାଦାରଙ୍କ ବିଲ୍‌ ଟଙ୍କା ନଦେବା । ୩ଟି ଅଫିସର ଆସବାବ ପତ୍ର ଜବତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସମ୍ବଲପୁରରୁ ଆସିଛି ଏ ଖବର । ବୁର୍ଲାସ୍ଥିତ ଉପର ମହାନଦୀ ବେସିନ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ହୀରାକୁଦ ଡ୍ୟାମ ସର୍କଲର ସୁପରିଟେଣ୍ଡ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ଓ ସମ୍ବଲପୁର ଇରିଗେସନ ଡିଭିଜନର ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଅଫିସର ଆସବାବପତ୍ର ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସିନିୟର ସିଭିଲ ଜଜ କୋର୍ଟ । ଏଥିସହ ୩ଟି ଅଫିସର ସଂପତ୍ତି ଆଟାଚ କରିବାକୁ ମଧ୍ୟ କୁହାଯାଇଛି ।

ସୂଚନା ଅନୁସାରେ  ୨୦୦୦ ମସିହାରେ ସମ୍ବଲପୁର ରିଂ ରୋଡର କାମ କରିଥିଲା ଓରିଏଣ୍ଟ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ । ତେବେ କାମ ସରିବା ପରେ ଠିକା ସଂସ୍ଥାକୁ ମିଳିନଥିଲା ପେମେଣ୍ଟ ।  ୨୦୦୫ ମସିହାରେ ବକେୟା ଅର୍ଥ ୫୨ ଲକ୍ଷ ଟଙ୍କା ହୋଇଯାଇଥିଲା ।  ଏନେଇ ୨୦୦୯ ମସିହାରେ ମାନ୍ୟବର ସିନିୟର ସିଭିଲ ଜଜ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଠିକା ସଂସ୍ଥା । ୨୦୦୯ରେ ସୁଧ ମୂଳ ମିଶି ୧କୋଟି ୩୬ କୋଟି ଲକ୍ଷ ଟଙ୍କାରେ ପହଞ୍ଚିଥିଲା ।  ଟଙ୍କା ପଇଠ ନହେବାରୁ ୬ ପ୍ରତିଶତ ସୁଧ ଦେବାକୁ  ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ବକେୟା ଟଙ୍କା ମିଳିନଥିଲା । ଏହି ବକେୟା ଟଙ୍କା ବଢି ବଢି ଅଗଷ୍ଟ ୨୦୨୪ ଯାଏ ୧କୋଟି ୮୮ ଲକ୍ଷ ହୋଇଯାଇଛି । ବାରମ୍ବାର ନୋଟିସ୍‌ ସତ୍ତ୍ବେ ବକେୟା ଟଙ୍କା ନଦେବାରୁ ୩ଟି ଅଫିସର ଆସବାବପତ୍ର ଜବତ ସହ ସଂପତ୍ତି ଆଟାଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । 



  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.