ନୂଆଦିଲ୍ଲୀ ୩୧/୦୫: ଭାରତ-ପାକିସ୍ତାନ ଯୁଦ୍ଧବିରତି ସମୟ ସୀମା ସପ୍ତାହ ବିତିଗଲାଣି । ଏହାରି ଭିତରେ ଭାରତ ବିରୋଧରେ ପୁଣି ବିଷ ଓଗାଳିଛନ୍ତି ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନୀର । ସେ କହିଛନ୍ତି ଭାରତ ଆଗରେ ମୁଣ୍ଡ ନୁଆଁଇବନି ପାକିସ୍ତାନ । ଦକ୍ଷିଣ ଏସୀୟ କ୍ଷେତ୍ରରେ ଇସଲାମାବାଦ କେବେବି ଭାରତୀୟ ଆଧିପତ୍ୟକୁ ଗ୍ରହଣ କରିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ସିନ୍ଧୁ ଜଳ ଚୁକ୍ତିନାମା ପ୍ରସଙ୍ଗରେ କେବେବି ସାଲିସ କରିବ ନାହିଁ ।
କାରଣ ଏହା ଦେଶର ୨୪୦ ନିୟୁତ ନାଗରିକଙ୍କ ମୌଳିକ ଅଧିକାର ସହିତ ସିଧାସଳଖ ଜଡିତ । ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR) ଅନୁଯାୟୀ, ଅସୀମ ମୁନୀର ବିଭିନ୍ନ ବିଶ୍ୱବିଦ୍ୟାଳୟର ଭାଇସ୍-ଚାନ୍ସେଲର, ପ୍ରିନ୍ସିପାଲ, ବରିଷ୍ଠ ଶିକ୍ଷକ ଏବଂ ଶିକ୍ଷାବିତ୍ଙ୍କ ସହିତ ଆଲୋଚନା ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି।
ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଭାରତର ପଦକ୍ଷେପ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅସୀମ ମୁନୀର ଏହାକୁ ପାକିସ୍ତାନ ପାଇଁ ଲକ୍ଷ୍ମଣ ରେଖା ବୋଲି କହିଥିଲେ । ସେ କହିଥିଲେ ଯେ ଜଳ ସମ୍ବନ୍ଧୀୟ ମାମଲାରେ ଇସଲାମାବାଦ କେବେ ମୁଣ୍ଡ ନୁଆଁଇବ ନାହିଁ । ମୁନୀର କହିଛନ୍ତି, 'ପାଣି ହେଉଛି ପାକିସ୍ତାନର ରେଡ୍ ଲାଇନ୍ ।
ଆମେ ୨୪୦ ନିୟୁତ ପାକିସ୍ତାନୀଙ୍କ ଏହି ମୌଳିକ ଅଧିକାର ଉପରେ କୌଣସି ପ୍ରକାରର ସାଲିସ କରିବାକୁ ଦେବୁ ନାହିଁ। ପହଲଗାମ ଆକ୍ରମଣର ଦିନକ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବ୍ୟାପାର କ୍ୟାବିନେଟ କମିଟି (CCS) ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।