ଭୁବନେଶ୍ବର ୨୭।୪: ଓଡ଼ିଶା ଛାଡିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ । ୨୦୦୮ ମସିହାରେ ନଗମା ଭୁବନେଶ୍ୱରର ମହମ୍ମଦ ନିଜାରୁଦ୍ଦିନଙ୍କୁ ପ୍ରେମ ବିବାହ କରିଥିଲେ । ୨୦୨୪ରେ ନଗମାଙ୍କ ଦୀର୍ଘ ମିଆଦୀ ଭିସା ଅବଧି ସରିଥିଲା । ସେ ଏକ୍ସିଟ୍ ପରମିଟ୍ ଆବେଦନ କରିଥିଲେ । ଅତଙ୍କୀ ଆକ୍ରମଣ ପରେ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ ନୋଟିସ୍ ଦିଆଯାଇଥିଲା । ନୋଟିସ୍ ପରେ ସେ ଭୁବନେଶ୍ୱର ଛାଡିଛନ୍ତି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଓଡ଼ିଶାରେ ରହୁଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ନୋଟିସ୍ ଜାରି ପ୍ରକ୍ରିୟା ଆରମ୍ଭ ହୋଇଛି । ଲକ୍ଷ୍ମୀସାଗର ଥାନା ବିଜେବି ନଗରରେ ରହୁଥିବା ୫୩ ବର୍ଷୀୟ ନଗମା ୟୁସୁଫ୍ଙ୍କୁ ମଧ୍ୟ ପୋଲିସ ନୋଟିସ୍ ଜାରି କରିଥିଲା । ଭାରତ ଛାଡ଼ି ତୁରନ୍ତ ପାକିସ୍ତାନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନୋଟିସ୍ ପାଇବା ପରେ ନଗମା ପାକିସ୍ତାନ ଯିବାକୁ ପ୍ରସ୍ତୁତ ହୋଇଛନ୍ତି । ଏହି ଖବର ତାଙ୍କ ପରିବାରରେ ଦୁଃଖର କଳାବାଦଲ ଖେଳାଇ ଦେଇଛି ।
୧୯୭୧ରେ ପାକିସ୍ତାନରେ ନଗମାଙ୍କ ଜନ୍ମ । ନଗମାଙ୍କ ପରିବାରର କିଛି ସଦସ୍ୟ ଦୁବାଇରେ କାମ କରୁଥିଲେ । ଦୁବାଇରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ ବିଜେବି ନଗରରେ ରହୁଥିବା ମହମ୍ମଦ ନିଜାରୁଦ୍ଦିନ । ସେଠାରେ ତାଙ୍କ ପରିବାର ଲୋକଙ୍କ ସହ ୨୦୦୫ରେ ପରିଚୟ ହୋଇଥିଲା । ନିଜାରୁଦ୍ଦିନଙ୍କର ଅଳ୍ପଦିନ ମଧ୍ୟରେ ନଗମାଙ୍କ ପରିବାର ଲୋକଙ୍କ ସହ ଉତ୍ତମ ସମ୍ପର୍କ ଗଢ଼ି ଉଠିଥିଲା । ନଗମା ୨୦୦୭ରେ ଦୁବାଇ ଆସିଥିଲେ । ସେଠାରେ ନିଜାରୁଦ୍ଦିନ ସହ ତାଙ୍କର ଦେଖା ହୋଇଥିଲା । ପ୍ରଥମେ ଦେଖାରେ ନିଜାରୁଦ୍ଦିନଙ୍କ ସହ ପ୍ରେମ ହୋଇଥିଲା । ଉଭୟ ବାହା ହେବାକୁ ମନସ୍ଥ କରି ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ୨୦୦୮ରେ ଉଭୟଙ୍କ ବାହାଘର ହୋଇଥିଲା । ସେବେ ଠାରୁ ନଗମା ଦୀର୍ଘକାଳୀନ ଭିସା (ଏଲ୍ଟିଭି)ରେ ଓଡ଼ିଶାରେ ରହୁଛନ୍ତି ।
ତେବେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ଦୀର୍ଘକାଳୀନ ଭିସାରେ ରହୁଥିବା ପାକିସ୍ତାନୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନଗମାଙ୍କୁ ପୋଲିସ ମଧ୍ୟ ନୋଟିସ୍ କରିସାରିଛି । ନୋଟିସ୍ ପାଇବା ପରେ ତାଙ୍କ ଘରେ ଚଡ଼କ ପଡ଼ିଛି । ଦୁଇ ଦିନ ହେବ ଘରେ ଖାଇବା ପିଇବା ବନ୍ଦ । ଅନ୍ୟପକ୍ଷରେ ନଗମାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଛି । ଯେଉଁଥିପାଇଁ ସେ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ପାଇଁ ଏଗଜିଟ୍ ଭିସା ଲାଗି କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । କିନ୍ତୁ ସେ ଆବେଦନ ପଡ଼ିରହିଥିଲା । ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ହୋଇଛି । ଏହି ଘଟଣାରେ ନଗମାଙ୍କ ସ୍ୱାମୀ ନିଜାରୁଦ୍ଦିନ୍ କହିଛନ୍ତି, ଏହା ଜରୁରୀକାଳୀନ ପରିସ୍ଥିତି । ଆମ ସମସ୍ତଙ୍କୁ ବୁଝିବାକୁ ପଡ଼ିବ । ସରକାର ଯାହା ନିୟମ କରିଛନ୍ତି ଆମେ ତାକୁ ମାନିବୁ । ସରକାରଙ୍କର ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ । ବିଚ୍ଛେଦ ତ’ କଷ୍ଟ ଦେବ । ଦେଶରେ ପରିସ୍ଥିତି ନିୟନ୍ତ୍ରଣ ହେଲେ ପୁଣି ସବୁ ଠିକ୍ ହେବ ବୋଲି ମୁଁ ଆଶା କରୁଛି ।
You Can Read:
ପୂର୍ବ ଶତ୍ରୁତାରୁ ଦୁଇ ଭାଇଙ୍କୁ ହତ୍ୟା, ପିଟିପିଟି ମାରିଦେଲେ ଜଙ୍ଗଲରେ ଫିଙ୍ଗିଦେଲେ