ବାଗ୍‌ଚୀ କରୁଣାଶ୍ରୟରେ ପାଲିଏଟିଭ କେୟାର ସେଣ୍ଟର ଉଦଘାଟିତ, କ୍ୟାନ୍ସରରେ ଆକ୍ରାନ୍ତ ବୟସ୍କ ରୋଗୀଙ୍କୁ ମିଳିବ ମାଗଣା ସେବା

Published By : Prameya-News7 Bureau | January 21, 2025 IST

ଭୁବନେଶ୍ୱର: ଇନ୍ଫୋଭେଲି ନିକଟସ୍ଥ ବାଗ୍ଚି କରୁଣାଶ୍ରୟରେ ଉଦଘାଟିତ ହୋଇଛି ପାଲିଏଟିଭ କେୟାର ସେଣ୍ଟର। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେଣ୍ଟରର ଉଦ୍‌ଘାଟନ କିଛନ୍ତି। ଏହି କେନ୍ଦ୍ରରେ କ୍ୟାନ୍ସରରେ ଆକ୍ରାନ୍ତ ବୟୋଜ୍ୟେଷ୍ଠ ତଥା ବୟସ୍କ ରୋଗୀଙ୍କୁ ମାଗଣାରେ ମିଳିବ ସେବା ଯତ୍ନ। ଏହା ସହ କ୍ୟାନ୍ସର କ୍ଷେତ୍ରରେ  ଶିକ୍ଷା ଓ ଗବେଷଣା ବ୍ୟବସ୍ଥା ରହିବ।

ଏହି ଅସବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ‘ଦାନ, ଦୟା, କ୍ଷମା, ମାନବୀୟ ଆଦର୍ଶର ଶ୍ରେଷ୍ଠ ଉଦାହରଣ। ଏହି ହସ୍ପିଟାଲ ପାଇଁ ବାଗ୍‌ଚୀ ଦମ୍ପତି ୧୩୦ କୋଟି ଟଙ୍କା  ଦାନ ଦେଇଛନ୍ତି। କରୋନା ସମୟରେ ସୁବ୍ରତ ବାଗ୍‌ଚୀଙ୍କ ପ୍ରେରଣା ଦାୟୀ ସଚେତନତା ବାର୍ତ୍ତାକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ, ଅନ୍ୟ ଆର୍ଥିକ ସ୍ବଚ୍ଛଳ ଦମ୍ପତିଙ୍କୁ ମଧ୍ୟ ଏଭଳି ମହତ କାମ କରିବାକୁ ଆଗେଇ ଆସିବା ଦରକାର ବୋଲି କହିଛନ୍ତି। 

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ପିଟାଲର ଅବଦାନ ପାଇଁ ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ବାଗ୍‌ଚୀ ପରିବାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ‘‘ଏହି ହସ୍ପିଟାଲ ଦୁନିଆ ପାଇ ଉତ୍ସର୍ଗ ହୋଇଛି। ୧୧୦ ଶଯ୍ୟା ବିଶିଷ୍ଟ ପାଲିଏଟିଭ କେୟାର ସେଣ୍ଟର ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବ। ଜଗନ୍ନାଥ ମନ୍ଦିର ଯାଇ ଯେତିକି ପୁଣ୍ୟ ମିଳେ ଏଠାକୁ ଆସି ସେତିକି ପୁଣ୍ୟ ମିଳିଲା ବୋଲି ଏହି ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଦଘାଟନୀ ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.