ନୟାଗଡ ୨୦/୩: ପୁଣି ମାଆ ହେଲେ ଛାତ୍ରୀ । ଯାଜପୁର,ମାଲକାନଗିରି ପରେ ନୟାଗଡରୁ ଆସିଛି ଲଜ୍ଜାଜନକ ଘଟଣା । ଡାକ୍ତରଖାନା ପାଇଖାନା ଭିତରେ ମୃତ ଛୁଆ ଜନ୍ମ କରିଛନ୍ତି ଯୁକ୍ତ ୩ ଛାତ୍ରୀ । ଛାତ୍ରୀ ଜଣକ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ । ଘର ତାଙ୍କର କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ । ସେ ୨ ବର୍ଷ ହେବ ଛାତ୍ରୀ ନିବାସରେ ରହୁଥିଲେ ।
ଗୁରୁବାର ସକାଳୁ ଛାତ୍ରୀଜଣଙ୍କର ପେଟରେ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଛାତ୍ରୀଜଣକ ପରିସ୍ରା କରିବାକୁ ଯାଇ ଶୌଚାଳୟ ଭିତରେ ଏକ ମୃତ ଛୁଆକୁ ଜନ୍ମ କରିଥିଲେ। ବର୍ତ୍ତମାନ ଛାତ୍ରୀଜଣକ ମେଡିକାଲର ମାତୃଶିଶୁ ବିଭାଗରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ଛାତ୍ରୀଜଣକ ପୂର୍ବରୁ ଗର୍ଭବତୀ ଥିବା ସମ୍ପର୍କରେ କିଛି ଜାଣିନଥିବା ସଫେଇ ଦେଇଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ ।
ହଷ୍ଟେଲକୁ କିଛି ଦିନ ବ୍ୟବଧାନରେ ଚେକ୍ ଅପ୍ ପାଇଁ ଡାକ୍ତର ଆସୁଥିଲେ ମଧ୍ୟ ଘଟଣା ସମ୍ପର୍କରେ କେମିତି କିଛି ଜାଣିପାରିଲେନି । ତାକୁ ନେଇ ପ୍ରଶ୍ନ ଉଠିଛି । ଛାତ୍ରୀ ମାଆ ହେବା ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ମାଲକାନଗିରି ଓ ଯାଜପୁରରୁ ଏମିତି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ସାମାଜିକ ଭୟ ନା ସଚେତନତାର ଅଭାବ । ଏପରି ଲଜ୍ଜାଜନକ ଘଟଣା ପାଇଁ ଦାୟୀ କିଏ ? ସୁସ୍ଥ ସମାଜ ଉପରେ କୁପ୍ରଭାବ ପକାଇବା ପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଯାହା ଚିନ୍ତାଜନକ ନିଶ୍ଚୟ ।