ନୂଆଦିଲ୍ଲୀ ୧୭/୦୬: କାନାଡା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବର୍ତ୍ତମାନ ସେ କାଲଗାରୀରେ ପହଞ୍ଚିଛନ୍ତି । ଯେଉଁଠାରୁ ସେ ଆଲବର୍ଟା ପ୍ରଦେଶର କାନାନାସ୍କିସରେ ଅନୁଷ୍ଠିତ ହେବାକୁ ଥିବା ୫୧ତମ G7 ଶିଖର ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦି ସାଇପ୍ରସରୁ ସିଧାସଳଖ କାନାଡାରେ ପହଞ୍ଚିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଏହି ଅନ୍ତର୍ଜାତୀୟ ମଞ୍ଚରେ ଅନେକ ବିଶ୍ୱ ନେତାଙ୍କ ସହ ଦେଖାଯିବେ । ତଥାପି, ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କୌଣସି ସାକ୍ଷାତ ହେବ ନାହିଁ। ତେବେ ଏହା ପୂର୍ବରୁ ସାମ୍ନାକୁ ଆସିଛି ଆଉ ଗୋଟିଏ ଘଟଣା । ଇରାନ-ଇସ୍ରାଏଲ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ G7 ଶିଖର ସମ୍ମିଳନୀରେ ସାମିଲ ହୋଇ ଫେରିଆସିବେ ।
ଟ୍ରମ୍ପ ଆଜି ରାତିରେ ୱାଶିଂଟନ ଡିସି ଯିବେ। କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଓ ଆମେରିକାର ଗୋଷ୍ଠୀ- ବିଶ୍ୱ ଅର୍ଥନୀତିର ୪୪% ପ୍ରତିନିଧିତ୍ୱ କରେ । କିନ୍ତୁ ଏହାର ଆକାର ବିଶ୍ୱ ଜନସଂଖ୍ୟାର କେବଳ ୧୦%। ୨୦୧୫ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ କାନାଡା ଗସ୍ତ ।
ସେ G-7 ଶିଖର ସମ୍ମିଳନୀରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି, ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମଙ୍କୁ ଭେଟିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ମଧ୍ୟ ଭେଟିବେ।