ସେପ୍ଟେମ୍ୱର ୨୧ରୁ ୨୩ ଯାଏ ଆମେରିକା ଗସ୍ତରେ ଯିବେ ପିଏମ୍ ମୋଦୀ, କ୍ୱାଡ୍ ସମ୍ମିଳନୀ ଏବଂ ଜାତିସଂଘ ମହାସଭାରେ ସମ୍ୱୋଧନ

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୨୧ରୁ ୨୩ ଯାଏ ଆମେରିକା ଗସ୍ତ କରିବେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଙ୍ଗଳବାର ଏହି ସୂଚନା ଦେଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେପ୍ଟେମ୍ୱର ୨୧ରେ ୱିଲି୍ମିଂଟନରେ ଚତୁର୍ଥ କ୍ୱାଡ୍ ଲିଡର୍ସ ସମିଟ୍‌ରେ ଯୋଗ ଦେବେ । ବିଦେଶ ମନ୍ତ୍ରଣାଳୟ ଅନୁସାରେ, ସେପ୍ଟେମ୍ୱର ୨୨ରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ୱୋଧନ କରିବେ । ଏହାପରେ ସେପ୍ଟେମ୍ୱର ୨୩ରେ ନ୍ୟୁୟର୍କରେ ଜାତିସଂଘ ମହାସଭାରେ ସମିଟ୍ ଅଫ୍ ଦ ଫ୍ୟୁଚରକୁ ସମ୍ୱୋଧନ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତରେ ନ୍ୟୁୟର୍କରେ ଅଗ୍ରଣୀ ଆମେରିକୀୟ କମ୍ପାନିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏଥିରେ ଏଆଇ, ଜୈବପ୍ରଦ୍ୟୋଗିକ ଏବଂ ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ସହଭାଗିତାକୁ ମଜଭୁତ କରାଯାଇପାରିବ । ବିଦେଶ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ ତିନି ଦିନିଆ କାର୍ଯ୍ୟକ୍ରମର ବିସ୍ତୃତ ସୂଚନା ଦେଇଛି ।

ବୈଦେଶିକ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ବାବଦରେ ସୂଚନା ଦେଇ କହିଛି ଯେ ସେପ୍ଟେମ୍ୱର ୨୧ରେ ପିଏମ୍ ୱିଲିମିଂଟନରେ କ୍ୱାଡ୍ ନେତାଙ୍କ ଶିଖର ବୈଠକରେ ଯୋଗ ଦେବେ । ଆମେରିକା ରାଷ୍ଟ୍ରପତି ବାଇଡେନ ଏହାର ଆୟୋଜକ ରହିବେ । ଚଳିତ ବର୍ଷ କ୍ୱାଡ ଶିଖର ବୈଠକ ଆୟୋଜନ ଭାରତ କରିଥାନ୍ତା । ମନ୍ତ୍ରଣାଳୟ କହିଛି, 'ଚଳିତ ବର୍ଷ କ୍ୱାଡ୍ ଶିଖର ବୈଠକର ଆୟୋଜନ ପାଇଁ ଆମେରିକାର ଅନୁରୋଧ ପରେ, ଭାରତ ୨୦୨୫ରେ ପରବର୍ତ୍ତୀ କ୍ୱାଡ୍ ବୈଠକର ଆୟୋଜନ ପାଇଁ ସହମତ ହୋଇଛି ।'

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, କ୍ୱାଡ୍ ଶିଖର ବୈଠକରେ ଗତ ବର୍ଷରେ କ୍ୱାଡ ଦ୍ୱାରା ହାସଲ କରାଯାଇଥିବା ପ୍ରଗତିର ସମୀକ୍ଷା କରିବେ ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ରର ଦେଶଗୁଡ଼ିକୁ ସେମାନଙ୍କ ବିକାଶ ଲକ୍ଷ୍ୟ ଏବଂ ଆକାଂକ୍ଷାକୁ ପୂରଣ କରିବାରେ ସହଯୋଗର ଏଜେଣ୍ଡା ସ୍ଥିର କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.