ନୂଆଦିଲ୍ଲୀ ୨୩।୦୪: ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣ ପରେ ସ୍ୱେଦଶ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଉଦି ଆରବ ଗସ୍ତକୁ କାଣ୍ଟଛାଣ୍ଟ କରି ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ। ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ମଙ୍ଗଳବାର ସାଉଦି ଆରବ ପକ୍ଷରୁ ଆୟୋଜିତ ସରକାରୀ ରାତ୍ରୀ ଭୋଜନରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗ ଦେଇନଥିଲେ।
ପହଲଗାମ ଆକ୍ରମଣ ଘଟଣା ପରେ ସୁରକ୍ଷା ସଂପର୍କିତ କ୍ୟାବିନେଟ କମିଟି ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ଦୁଃଖ ଓ କ୍ରୋଧ ପ୍ରକାଶ ପାଇଛି । ଏହି ଘଟଣା ପରେ ସାଉଦୀ ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ ଡକାଇଛନ୍ତି । ଆଗକୁ ସରକାର କେତେକ କଠୋର ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଉଛି।
ସେପଟେ ଏହି ଆକ୍ରମଣ ପରେ ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ବଡ଼ ବଡ଼ ସହରରେ ହାଇଆଲର୍ଟ ଜାରି କରାଯାଇଛି। ଦିଲ୍ଲୀର ପର୍ଯ୍ୟଟନ ସ୍ଥଳ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହମନ୍ତ୍ରୀ ଅମିତ ଶାହା ନିଜେ କାଶ୍ମୀରରେ ସ୍ଥିତି ସମୀକ୍ଷା କରିଛନ୍ତି।
ସୂଚନାଯୋଗ୍ୟ ଯେ, ପୁଲଓ୍ବାମା ପରେ ଜମ୍ମୁ କାଶ୍ମୀର ଅନନ୍ତାନାଗ ଜିଲ୍ଲା ପହଲଗାମରେ ଆତଙ୍କୀ ହମଲା ହୋଇଛି। ଯେଉଁଥିରେ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କୀ। ହମଲା ଜଣେ ଓଡ଼ିଆ ପର୍ଯ୍ୟକଙ୍କ ସମେତ ମୋଟ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଓଡ଼ିଶା ପର୍ଯ୍ୟଟକ ହେଲେ ପ୍ରଶାନ୍ତ ସତପଥୀ । ତାଙ୍କ ଘର ବାଲେଶ୍ବରରେ । ସେ ଦୁଇ ଦିନ ତଳେ ତାଙ୍କ ପତ୍ନୀ ଏବଂ ପୁଅଙ୍କ ସହିତ କାଶ୍ମୀର ଗସ୍ତ କରିଥିଲେ। ଆତଙ୍କୀ ପର୍ଯ୍ଯଟକଙ୍କୁ ନାଁ ଓ ଧର୍ମ ପଚାରି ମୁଣ୍ଡ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣାରେ ୨ ଜଣ ବିଦେଶୀ ପର୍ଯ୍ୟକଙ୍କ ବି ମୃତ୍ୟୁ ହୋଇଛି । ୪ ରୁ ୫ ଆତଙ୍କବାଦୀ ଏହି ଗୁଳିମାଡ଼ କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍ କରିଛନ୍ତି। ହେଲିକପ୍ଟର ଜରିଆରେ ପୁରା ଅଞ୍ଚଳ ଉପରେ ନଜର ରଖାଯାଇଛି। ଘଟଣା ପରେ ତୁରନ୍ତ ଗୃହମନ୍ତ୍ରୀ ଅମିତ ଶାହ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏମର୍ଜେନ୍ସି ବୈଠକ କରି ସ୍ଥିତି ଉପରେ ନଜର ରଖିଥିଲେ। ଅନ୍ୟପକ୍ଷରେ ମିଳିତ ସୁରକ୍ଷା ବାହିନୀ ପହଲଗାମ ଆକ୍ରମଣରେ ସାମିଲ ଆତଙ୍କବାଦୀମାନଙ୍କୁ ଠାବ କରିବା ପାଇଁ ବିଶାଳ ଅଭିଯାନ ଆରମ୍ଭ କରିଛି।