ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେଲେ ପିଏମ୍ ମୋଦୀ, ଐତିହାସିକ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

Published By : Prameya-News7 Bureau | January 27, 2025 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆମେରିକାର ନବନିଯୁକ୍ତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ପରେ ଦୁହିଁଙ୍କ ମଧ୍ୟରେ ଏହା ପ୍ରଥମ କଥାବର୍ତ୍ତା । 

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆମେରିକା ସରକାରଙ୍କ ନିମନ୍ତ୍ରଣରେ ଜାନୁଆରୀ ୨୦ରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ । ଭାରତକୁ ପ୍ରତିନିଧିତ୍ୱ କରିବା ସହ ଟ୍ରମ୍ପଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପତ୍ର ମଧ୍ୟ ନେଇଥିଲେ ।

ଦୁଇ ନେତାଙ୍କ କଥାବର୍ତ୍ତାରେ ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ପିଏମ୍ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଭାରତ ଏବଂ ଆମେରିକା ମଧ୍ୟର ସମ୍ପର୍କକୁ ଅଧିକ ମଜଭୁତ କରିବା ଉପରେ ଚର୍ଚ୍ଚା କରିଛନ୍ତି । 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଖୁବଶୀଘ୍ର ଏକ ବୈଠକ ହୋଇପାରେ । ରିପୋର୍ଟ ଅନୁସାରେ ଭାରତୀୟ ଏବଂ ଆମେରିକୀୟ କୂଟନୀତିଜ୍ଞ ଫେବ୍ରୁଆରୀରେ ୱାଶିଂଟନରେ ପିଏମ୍ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରିବା ପାଇଁ ପ୍ରୟାସ କରୁଛନ୍ତି । ଯଦି ଏହି ବୈଠକ ହୁଏ ତେବେ ପିଏମ୍ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ବ୍ୟବସାୟ ଏବଂ ଶ୍ରମିକ ଭିସା ଉପରେ ଚର୍ଚ୍ଚା ହୋଇପାରେ । 

ତେବେ ଫେବ୍ରୁଆରୀରେ ଏହି ବୈଠକ ହେବ କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ସୂତ୍ର ଅନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା ନିଶ୍ଚିତ ଦ୍ୱିପାକ୍ଷିକ ବୈଠକ ହୋଇପାରେ । ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର କ୍ୱାଡ୍ ସଦସ୍ୟ ରାଷ୍ଟ୍ରମୁଖ୍ୟ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ସାମିଲ ହେବେ । ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳରେ ୨୦୨୦ ଫେବ୍ରୁଆରୀ ମାସରେ ଭାରତ ଗସ୍ତରେ ଆସିଥିଲେ । ସେତେବେଳେ ଅହମଦାବାଦର କ୍ରିକେଟ୍ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.