ମହୁ: ମହାକୁମ୍ଭରେ ମହାସ୍ନାନକୁ ନେଇ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଟିପ୍ପଣୀକୁ ନେଇ ନୂତନ ବିବାଦ ଦେଖା ଦେଇଛି। ପ୍ରୟାଗରାଜରେ ମହାକୁମ୍ଭ ମଧ୍ୟରେ ଖଡ଼ଗେ ପ୍ରଶ୍ନ କରିଛନ୍ତି ଯେ, କଣ ଗଙ୍ଗାରେ ବୁଡ଼ ପକାଇଲେ ଗରିବୀ ଦୂର ହେବ ନା ଖାଦ୍ୟ ମିଳିବ ? କଂଗ୍ରେସ ଅଧ୍ୟକ୍ଷଙ୍କ ଏହି ଟିପ୍ପଣୀକୁ ନେଇ ବିଜେପି ଆକ୍ରମଣାତ୍ମକ ହୋଇ ଉଠିଛି। ଏହା କଂଗ୍ରେସର ହିନ୍ଦୁଙ୍କ ପ୍ରତି ଘୃଣା ଭାବକୁ ଦର୍ଶାଉଛି। ଏହି ପାର୍ଟି ଏବେ ନୂଆ ମୁସଲିମ ଲିଗ୍ରେ ପରିଣତ ହୋଇ ସାରିଥିବା କହିଛି ବିଜେପି।
ମହୁରେ କଂଗ୍ରେସ ପାର୍ଟି ପକ୍ଷରୁ ସୋମବାର ‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ’ ରାଲିର ଆୟୋଜନ କରାଯାଇଥିଲା। ଏହି ସମୟରେ ଖଡ଼ଗେ ସମ୍ବିଧାନ ଓ ବାବା ସାହେବ ଆମ୍ବେଦକରଙ୍କୁ ନେଇ ବିଜେପି ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ମନୁବାଦରେ ଚାଲିଲେ ଗରିବଙ୍କ ସତ୍ୟାନାଶ ହୋଇଯିବ। ସେ ସଭିଙ୍କୁ ଏକ ହୋଇ ମନୁବାଦକୁ ସମାପ୍ତ କରିବାକୁ ଅପିଲ୍ କରିଛନ୍ତି।
Also read: 'ଯମୁନାକୁ ବିଷାକ୍ତ କରୁଛି ହରିୟାଣା', ଆପ୍ର ଅଭିଯୋଗ ଉପରେ ହରିୟାଣା ସରକାରଙ୍କୁ ଜବାବ ମାଗିଲେ ନିର୍ବାଚନ ଆୟୋଗ
ମହାକୁମ୍ଭର ନାଁ ନ ନେଇ ଖଡ଼ଗେ ବଡ଼ ଟିପ୍ପଣୀ କରିବା ସହ କ୍ଷମା ମଧ୍ୟ ମାଗିଛନ୍ତି। ସେ କହିଛନ୍ତି କାହାରି ଆସ୍ଥାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ଗଙ୍ଗାରେ ବୁଡ଼ ପକାଇଲେ କଣ ଗରିବି ଦୂର ହେବ ? କଣ ଆପଣଙ୍କ ପେଟକୁ ଭୋଜନ ମିଳିବ ? ହାତ ଯୋଡ଼ି ଖଡ଼ଗେ କହିଛନ୍ତି ମୋର ଏହି ବୟାନ ଯଦି କାହାକୁ ଆଘାତ ଦେଉଛି ମୋତେ କ୍ଷମା କରି ଦେବେ। ଆପଣ କୁହନ୍ତୁ ଯେବେ ପିଲା ଭୋକରେ ମରୁଛନ୍ତି, ସ୍କୁଲ ଯାଇ ପାରୁ ନାହାନ୍ତି, ଶ୍ରମିକ କାମକୁ ଯାଇ ପାରୁନି, ଏହି ସମୟରେ ଏହି ଲୋକେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ବୁଡ଼ ପକାଉଛନ୍ତି। ବୁଡ଼ ପକାଇବା ପାଇଁ ପ୍ରତିଯୋଗିତା ଚାଲିଛି। ଯେ ପର୍ଯ୍ୟନ୍ତ ଟିଭିରେ ଭଲ ନ ଦେଖା ଯାଇଛି, ସେ ପର୍ଯ୍ୟନ୍ତ ବୁଡ଼ ମାରି ଚାଲିଛନ୍ତି। ଏମିତି ଲୋକଙ୍କ ଦ୍ଵାରା ଦେଶର ଉନ୍ନତି କଦାପି ହୋଇ ପାରିବ ନାହିଁ।
Also read: ‘ବିଳମ୍ବରେ ହେଉ ପଛେ ଆସିଲେ’...ଅଖିଳେଶଙ୍କ ଆସ୍ଥାର ବୁଡ଼କୁ ନେଇ ବିଜେପିର କଟାକ୍ଷ
ଖଡ଼ଗେଙ୍କ ବୟାନକୁ ନେଇ ବିଜେପି ପାଲଟା ଜବାବ ଦେଇ କହିଛି ଯେ, କଂଗ୍ରେସ ମୁସଲିମ ଲିଗ୍ରେ ପରିଣତ ହୋଇ ସାରିଛି। ବିଜେପି ଆଇଟି ସେଲ୍ର ମୁଖ୍ୟ ଅମିତ୍ ମାଲଭିୟ ଖଡ଼ଗେଙ୍କ ବୟାନର ଭିଡିଓ ସେୟାର କରି ଲେଖିଛନ୍ତି, ଖଡ଼ଗେ ତ କହୁଛନ୍ତି, କିନ୍ତୁ ଏହି ଶବ୍ଦ ଗାନ୍ଧୀ ପରିବାରର। କାହିଁକି କଂଗ୍ରେସର ହିନ୍ଦୁଙ୍କ ପ୍ରତି ଏତେ ଘୃଣା ଭାବ ? ୧୪୪ ବର୍ଷରେ ଥରୁଟିଏ ମହାକୁମ୍ଭ ପଡ଼ିଥାଏ, ମାତ୍ର କଂଗ୍ରେସ ନେତା ଏମିତି ବିଚଳିତ ଯେ ହିନ୍ଦୁଙ୍କୁ ଗାଳି ଦେବାକୁ ପଛାଉ ନାହାନ୍ତି।
ପ୍ରଥମେ କଂଗ୍ରେସର ହୁସେନ ଦଲଭି କୁମ୍ଭକୁ ନେଇ ନାନା ପ୍ରକାରର ଟିପ୍ପଣୀ କଲେ। ଏବେ ଖୋଦ୍ କଂଗ୍ରେସର ଅଧ୍ୟକ୍ଷ କୁମ୍ଭକୁ ନେଇ ବିବାଦୀୟ କଥା କହିଲେଣି। କଂଗ୍ରେସ ଏବେ ନୂଆ ମୁସଲିମ୍ ଲିଗ୍ରେ ପରିଣତ ହୋଇଛି। ଏହି ପାର୍ଟି ଦେଶ ପାଇଁ ଅଭିଶପ୍ତ ପାଲଟି ଯାଇଛି। ଏହି ପାର୍ଟିର ବିଲୁପ୍ତ ହିଁ ସଭିଙ୍କ ପାଇଁ ହିତ ହେବ ବୋଲି ମାଲଭିୟ କହିଛନ୍ତି।