କେଜ୍ରିୱାଲଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ, ଯମୁନାରେ ବିଷ ଏବଂ ନରସଂହାର ଦାବି ଉପରେ ମାଗିଲେ ପ୍ରମାଣ

Published By : Prameya-News7 Bureau | January 28, 2025 IST

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଆମ୍ ଆଦାମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍ ଜାରି କରି ଯମୁନାରେ ବିଷ ଦାବି ଉପରେ ପ୍ରମାଣ ମାଗିଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି ଯେ ଯମୁନା ନଦୀରେ ବିଷ ମିଶାଇବା ଏବଂ ଦିଲ୍ଲୀରେ ନରସଂହାର ନେଇ କରିଥିବା ସଙ୍ଗୀନ ଅଭିଯୋଗ ଉପରେ ତଥ୍ୟ ସହ ପ୍ରମାଣ କରନ୍ତୁ । ନିର୍ବାଚନ ଆୟୋଗ ବୁଧବାର ରାତି ୮ଟା ସୁଦ୍ଧା ଅରବିନ୍ଦ କେଜ୍ରିୱାଲଙ୍କୁ ନିଜ ଦାବି ଉପରେ ପ୍ରମାଣ ଦେବାକୁ କହିଛନ୍ତି ।

ନିର୍ବାଚନ ଆୟୋଗ କହିଛନ୍ତି, 'ଆପଣଙ୍କ ପରି ନେତାଙ୍କ ଦ୍ୱାରା ଦିଆଯାଇଥିବା ବୟାନର ଓଜନ ଅଧିକ ଏବଂ ଲୋକ, ଖାସକରି ସେହି ପାର୍ଟିର ସମର୍ଥକ ତାଙ୍କ ବୟାନ ଉପରେ ବିଶ୍ୱାସ କରନ୍ତି । ଜଣେ ଅନୁଭବୀ ବରିଷ୍ଠ ନେତା ହୋଇଥିବା କାରଣରୁ ସାର୍ବଜନୀନ ରୂପେ ପଡ଼ୋଶୀ ରାଜ୍ୟରେ ଯମୁନାରେ ବିଷ ମିଶାଯାଉଥିବା ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିବା ଦରକାର । ଏହାସହ ଯମୁନାକୁ ବିଷାକ୍ତ କରିବା ପାଇଁ କେଉଁ ପ୍ରକାର ଏବଂ କେତେ ମାତ୍ରାର କେମିକଲ୍ ବ୍ୟବହାର କରାଯାଇଥିଲା, ଯେଉଁଥିରେ ଦିଲ୍ଲୀରେ ନରସଂହାର ହୋଇଥାନ୍ତା, ତାର ମଧ୍ୟ ପ୍ରମାଣ ରହିବା ଦରକାର ।'

ନିର୍ବାଚନ ଆୟୋଗ ନିଜ ନୋଟିସରେ ଆଇନଗତ କାର୍ଯ୍ୟାନୁଷ୍ଠାନ କଥା ମଧ୍ୟ ଉଲ୍ଲେଖ କରହିଛନ୍ତି । ରାଷ୍ଟ୍ରୀୟ ଏକତା ବିରୋଧରେ ବିଭ୍ରାନ୍ତିକର ବୟାନ ପାଇଁ ତିନି ବର୍ଷ ଜେଲ୍ ଜଣ୍ଡ ହୋଇପାରେ । ଏହାସହ ଏହିପରି ଅଭିଯୋଗ ଯୋଗୁଁ ଦୁଇ ପଡ଼ୋଶୀ ରାଜ୍ୟର ଲୋକଙ୍କ ମଧ୍ୟରେ ମତଭେଦ ବଢିବାର ଭୟ ମଧ୍ୟ ରହିଛି ।

 ଉଲ୍ଲେଖଯୋଗ୍ୟ ଯେ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସାମ୍ୱାଦିକ ସମ୍ମିଳନୀ କରି ଦାବି କରିଥିଲେ ଯେ ଯମୁନାରେ ଆମୋନିଆ ମାତ୍ରାକୁ ହରିୟାଣା ପଟୁ ଅଧିକ କରାଯାଇଛି । ଏହାପରେ ଅରବିନ୍ଦ କେଜ୍ରିୱାଲ ହରିୟାଣାର ବିଜେପି ସରକାର ଦିଲ୍ଲୀକୁ ଆସୁଥିବା ଯମୁନା ପାଣିରେ ବିଷାକ୍ତ କରୁଥିବା ଅଭିଯୋଗ କରିଥିଲେ । ଏହାସହ ସେ କହିଥିଲେ ଯେ ଦିଲ୍ଲୀ ଜଳ ବୋର୍ଡର ଇଞ୍ଜିନିୟର୍ସ ଠିକ୍ ସମୟରେ ସେହି ପାଣିକୁ ବର୍ଡରରେ ଅଟକାଇଥିଲେ । ଯଦି ପାଣି ଦିଲ୍ଲୀ ଭିତରକୁ ଆସିଥାନ୍ତା ତେବେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା ଏବଂ ନରସଂହାର ହୋଇଥାନ୍ତା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.