ମହାକୁମ୍ଭର ‘ଭାଇରାଲ ଗାର୍ଲ’ କରିବେ ବଲିଉଡ୍ ଡେବ୍ୟୁ, ଏହି ଫିଲ୍ମର ହେବେ ନାୟିକା

Published By : Prameya-News7 Bureau | January 29, 2025 IST

ମହେଶ୍ୱର ୨୯।୧:  ମହାକୁମ୍ଭରେ କଜ୍ୱଳ ଲଗା ଆଖି ଓ ମନମୋହକ ହସ ଯୋଗୁ ଭାଇରାଲ ହୋଇଥିବା ରୁଦ୍ରାକ୍ଷ ମାଳି ବିକୁଥିବା ଯୁବତୀ ମୋନାଲିସା ଏବେ ତାଙ୍କ ଘରୁ ଫେରିଗଲେଣି। ମହାକୁମ୍ଭ କାଳରେ ପ୍ରୟାଗରାଜରେ ରହି ରୁଦ୍ରାକ୍ଷ ବେପାର କରୁଥିବା ମୋନାଲିସାଙ୍କୁ ୧୫ ଦିନରେ କୁମ୍ଭମେଳା ଛାଡିବାକୁ ପଡିଥିଲା। ହେଲେ ଏବେ ମୋନାଲିସା ରୂପେଲି ପର୍ଦାରେ ଦେଖାଯିବେ। ଏଥି ପାଇଁ ସେ ଫିଲ୍ମ ସାଇନ କରିଛନ୍ତି। ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କ ଫିଲ୍ମ ‘ଦି ଡାୟେରୀ ଅଫ ମଣିପୁର’ ପାଇଁ ମୋନାଲିସାଙ୍କୁ ଚୁକ୍ତି କରିଛନ୍ତି। 

ମୋନାଲିସାଙ୍କୁ ଖୋଜି ଖୋଜି ନିର୍ଦ୍ଦେଶକ ସୋନୋଜ ମିଶ୍ର ମଧ୍ୟପ୍ରଦେଶ ମହେଶ୍ୱରକୁ ଯାଇଥିଲେ। ସେଠାରେ ମୋନାଲିସାଙ୍କୁ ସେ ଭେଟିଥିବା ବେଳେ ନିଜ ଫିଲ୍ମ ପାଇଁ ତାଙ୍କୁ ଚୁକ୍ତି କରାଇଛନ୍ତି। ଫିଲ୍ମ  ‘ ଦି ଡାୟେରୀ ଅଫ ମଣିପୁର’ରେ ମୋନାଲିସା ଲିଡ ଭୂମିକାରେ ଅଭିନୟ କରିବେ। ଫିଲ୍ମ ସୁଟିଂ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ମୁମ୍ବାଇରେ ଅଭିନୟ ତାଲିମ ମଧ୍ୟ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଯେ କୁମ୍ଭରେ ଅଚାନକ ଇଣ୍ଟରନେଟ୍ ରେ ଭାଇରାଲ ହେବା ପରେ ମୋନାଲିସାଙ୍କ ସୌନ୍ଧର୍ଯ୍ୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ମେଳାକୁ ଆସୁଥିବା ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା। 

ଏଣୁ ସନୋଜ ମିଶ୍ର ତାଙ୍କୁ ଫିଲ୍ମରେ କାଷ୍ଟ କରିବାକୁ ଯୋଜନା କରିଛନ୍ତି। ତେବେ ମୋନାଲିସାଙ୍କୁ କୁମ୍ଭ ମେଳା ଛାଡି ଆସିବାକୁ ପଡିଛି। କାରଣ ସେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଠିକରେ ତାଙ୍କର ବେପାର କରିପାରୁନଥିଲେ। ଲୋକେ ତାଙ୍କ ଆଗପଛରେ କ୍ୟାମେରା ଧରି ବୁଲୁଥିଲେ। ଏଣୁ ମେଳାରେ ରୁଦ୍ରାକ୍ଷ ବିକିବା ତାଙ୍କ ପାଇଁ କଷ୍ଟକର ହୋଇପଡିଥିଲା। ଲୋକଙ୍କ ନଜରରୁ ବର୍ତ୍ତିବା ପାଇଁ ସେ ଘରକୁ ଫେରିଯିବାକୁ ମନସ୍ତ କରିଥିଲେ ଓ ଗାଁକୁ ଫେରିଯାଇଛନ୍ତି। 

ନିର୍ଦ୍ଦେଶକ ସନୋଜ ମିଶ୍ର ଆଜିକାଲି ତାଙ୍କ ଫିଲ୍ମ ‘ଦି ମଣିପୁର ଡାୟେରୀ’ ନିର୍ମାଣରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ମଣିପୁରର ଜ୍ୱଳନ୍ତ ପ୍ରସଙ୍ଗ ଉପରେ ଆଧାରିତ। ଏହି ଫିଲ୍ମ ମାଧ୍ୟମରେ ବଲିଉଡ ଷ୍ଟାର ରାଜକୁମାର ରାଓଙ୍କ ବଡ଼ ଭାଇ ଅମିତ ରାଓ ମଧ୍ୟ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ସନୋଜ ମିଶ୍ର ଏପରି ଜଣେ ନିର୍ଦ୍ଦେଶକ ଜିଏ ସମାଜର ଜ୍ୱଳନ୍ତ ପ୍ରସଙ୍ଗ ଉପରେ ଚଳଚିତ୍ର ନିର୍ମାଣ କରନ୍ତି। ତାଙ୍କ ଫିଲ୍ମ ‘କାଶୀ ଟୁ କାଶ୍ମୀର’ ଓ ‘ଦି ଡାୟେରୀ ଅଫ ୱେଷ୍ଟ ବେଙ୍ଗଲ’ ବେଶ୍ ଲୋକପ୍ରିୟତା ପାଇଥିଲା। ସନୋଜ ମିଶ୍ର ଫିଲ୍ମ ବ୍ୟାନରରେ ‘ଦି ଡାୟେରୀ ଅଫ ମଣିପୁର’ ନିର୍ମିତ ହେବ। ଏହି ଫିଲ୍ମର ଲେଖକ, ନିର୍ମାତା ଓ ନିର୍ଦ୍ଦେଶକ ନିଜେ ସନୋଜ ମିଶ୍ର ଅଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.