ଓ୍ବାନ-ଓ୍ବେ ଟ୍ରାଫିକ୍, ନୋ-ଭେହିକିଲ୍ ଜୋନ୍, ଭିଭିଆଇପି ପାସ୍ ରଦ୍ଦ, ଦଳାଚକଟା ପରେ ମହାକୁମ୍ଭ ପ୍ରୋଟକଲ୍ ପରିବର୍ତ୍ତନ

Published By : Prameya-News7 Bureau | January 30, 2025 IST

ନୂଆଦିଲ୍ଲୀ: ପ୍ରୟାଗରାଜ ସଙ୍ଗମ ସ୍ଥଳରେ ଦଳାଚକଟା ଘଟଣା ପରେ କଠୋର ହୋଇଛି ପ୍ରଶାସନ । ଉତ୍ତର ପ୍ରଦେଶ ସରକାର ମହାକୁମ୍ଭରେ ୫ ନିୟମ ପରିବର୍ତ୍ତନ କରିଛନ୍ତି । ମେଳା ଲାଗିଥିବା ଅଞ୍ଚଳକୁ ନୋ-ଭେହିକିଲ୍ ଜୋନ୍ ଘୋଷଣା କରାଯାଇଛି । କୌଣସି ପ୍ରକାର ଯାନବାହାନକୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ନାହିଁ । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଯୋଗୀ ଆତିତ୍ୟନାଥ ସ୍ଥିତିକୁ ସମୀକ୍ଷା କରି ମେଳା କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କୁ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

ପ୍ରଶାସନର ସୂଚନା ମୁତାବକ, କୁମ୍ଭମେଳାରେ ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ନିୟମରେ ପରିବର୍ତ୍ତନ କରାଯାଇଛି । ଏହାଦ୍ବାରା ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁନିଶ୍ଚିତ ହେବ । ପ୍ରୟାଗ ସଙ୍ଗମକୁ ଆସୁଥିବା ସାଧୁ ସନ୍ଥ ଏବଂ ଶ୍ରଦ୍ଧାଳୁଙ୍କୁ ନିୟମ ପାଇଁ ପାଳନ ଅପିଲ୍ କରାଯାଇଛି । ଏହା ସହିତ କୌଣସି ପ୍ରକାର ବିଶୃଙ୍ଖଳାରୁ ଦୂରେଇ ରହିବାକୁ କୁହାଯାଇଛି ।   

କ’ଣ ରହିଛି ପାଞ୍ଚ ନିୟମ:-

୧. କୁମ୍ଭମେଳାକୁ ସମ୍ପୂର୍ଣ୍ଣ ଭାବେ ନୋ-ଭେହିକିଲ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ପ୍ରୟାଗ ସଙ୍ଗମରୁ କୌଣସି ପ୍ରକାର ଯାନବାହନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

୨. ଭିଭିଆଇପି ପାସ୍‌କୁ ବର୍ତ୍ତମାନ ସମୟରେ ରଦ୍ଦ କରାଯାଇଛି । କୌଣସି ସ୍ବତନ୍ତ୍ର ପାସ୍ ଜରିଆରେ ଗାଡ଼ି ଗୁଡ଼ିକୁ ମେଳା ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । 

୩. ମେଳାକୁ ଆସୁଥିବା ଯାନବାହାନ ଏଣ୍ଟ୍ରିରେ ରୋକ୍ ଲାଗିଛି । ପ୍ରୟାଗରାଜକୁ ଲାଗିଥିବା ଥିବା ପଡ଼ୋଶୀ ଜିଲ୍ଲାରୁ ଆସୁଥିବା ଗାଡ଼ିକୁ ସୀମାର ଏଣ୍ଟ୍ରି ପଏଣ୍ଟରେ ଅଟକାଇ ଦିଆଯାଉଛି । 

୪. ଆସନ୍ତା ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ ଏହି ନିୟମ କଡ଼ାକଡ଼ି ପାଳନ କରାଯିବ । ସହର ଭିତରକୁ କୌଣସି ଗାଡ଼ିକୁ ପ୍ରବେଶ ଅନୁମତି ମିଳିବ ନାହିଁ... 

ସୂଚନା ଅନୁଯାୟୀ, ମୌନି ଅମାବାସ୍ୟାର ସାହି ସ୍ନାନର ଠିକ୍ ପୂର୍ବରୁ ସୋମବାର-ମଙ୍ଗଳବାର ରାତିରେ ଦଳାଚକଟାରେ ଏ ପର୍ଯ୍ୟନ୍ତ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି । ଏହା ସହିତ ମହାକୁମ୍ଭରେ ଦଳାଚକଟାରେ ମୃତ୍ୟୁ ଘଟିଥିବା ପରିଜନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.