ନୂଆଦିଲ୍ଲୀ: ସାଧାରଣ ବଜେଟ୍ ପ୍ରତିବର୍ଷ ଦେଶର ଆର୍ଥିକ ଦିଗକୁ ସ୍ଥିର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫ ଫେବ୍ରୁଆରୀ ୧ରେ ନିଜର ଅଷ୍ଟମ ବଜେଟ୍ ଉପସ୍ଥାପନ କରିବେ । ଚଳିତ ଥର ବଜେଟ୍ କେବଳ ଦେଶର ସାଧାରଣ ନାଗିରକଙ୍କ ପାଇଁ ନୁହେଁ, ବରଂ ସାରା ଦୁନିଆ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଭାରତ ଦ୍ରୁତ ବେଗରେ ବଢୁଥିବା ଅର୍ଥବ୍ୟବସ୍ଥା, ତେଣୁ ଏହାର ବଜେଟ୍ କେବଳ ଦେଶ ନୁହେଁ ଅନ୍ତରାଷ୍ଟ୍ରୀୟ ବଜାର ଉପରେ ମଧ୍ୟ ପ୍ରଭାବ ପକାଇବ ।
ଟିକସଦାତା ଏବଂ ମଧ୍ୟବିତ୍ତଙ୍କ ପାଇଁ ଆଗାମୀ ବଜେଟରେ କିଛି ବଡ଼ ଘୋଷଣା ନେଇ ଆଶା କରାଯାଉଛି । ଏହା ବ୍ୟତୀତ ରିୟଲ ଇଷ୍ଟେଟ୍ ଉଦ୍ୟୋଗ ପାଇଁ ମଧ୍ୟ ବଡ଼ ଘୋଷଣାର ପ୍ରସ୍ତାବ ରହିଛି । ତେବେ ଆସନ୍ତୁ ଆର୍ଥିକ ବର୍ଷ ୨୦୨୫-୨୬ ବଜେଟ୍ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ଡାଟା ମାଧ୍ୟମରେ ଦେଶର ଅର୍ଥବ୍ୟବସ୍ଥାକୁ ବୁଝିବା ପାଇଁ ପ୍ରୟାସ କରିବା ।
ବିତ୍ତିୟ ନିଅଣ୍ଟ (Fiscal Deficit)
ସରକାରଙ୍କ ଖର୍ଚ୍ଚ ଆୟଠାରୁ ଅଧିକ ହେଲେ ଏହାକୁ ବିତ୍ତିୟ ନିଅଣ୍ଟ କୁହାଯାଏ । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ବଜେଟରେ ସରକାର ରାଜକୋଷୀୟ କ୍ଷତିକୁ ଜିଡିପିର ୪.୯ ପ୍ରତିଶତରେ ରଖିବା ପାଇଁ ଅନୁମାନ କରିଥିଲେ । ଏହା ଉପରେ ବଜାର ତୀକ୍ଷ୍ନ ନଜର ରହିବ । ୨୦୨୫-୨୬ ବଜେଟରେ ବି ଏହା ଉପରେ ଧ୍ୟାନ ରଖାଯିବ । ସରକାରଙ୍କ ଖର୍ଚ୍ଚ ଏବଂ ଆୟରେ ଅସମାନତା ରହିଲେ କ୍ଷତି ବଢିଥାଏ ।
ପୁଞ୍ଜିଗତ ବ୍ୟୟ (Capital Expenditure)
ପୁଞ୍ଜିଗତ ବ୍ୟୟ ଅର୍ଥ ହେଉଛି ସେହି ଖର୍ଚ୍ଚ ଯାହା ସରକାର ଏବଂ କମ୍ପାନି ଭବିଷ୍ୟତ ପାଇଁ କରନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ୧୧.୧ ଲକ୍ଷ କୋଟି ଟଙ୍କା ପୁଞ୍ଜିଗତ ବ୍ୟାୟ ସ୍ଥିର କରିଥିଲେ । ନିର୍ବାଚନ ଯୋଗୁଁ ପ୍ରଥମ କିଛି ମାମସାରେ ସରକାରୀ ଖର୍ଚ୍ଚ କମ ରହିଥିଲା । ୨୦୨୫-୨୬ ବଜେଟରେ ବି କ୍ୟାପିଟାଲ୍ ଏକ୍ସପେଣ୍ଡିଚର ବଢିପାରେ ।
ସରକାରୀ ଋଣ (Goverment Debt)
ଭାରତ ସରକାର ନିଜ ଖର୍ଚ୍ଚକୁ ପୂରଣ କରିବା ପାଇଁ ଋଣ ନେଇଥାନ୍ତି । ଅର୍ଥମନ୍ତ୍ରୀ ୨୦୨୪-୨୫ ବଜେଟରେ କହିଥିଲେ ଯେ ୨୦୨୬-୨୭ ପରେ ବିତ୍ତିୟ ନିଅଣ୍ଟକୁ ଜିଡିପି ତୁଳନାରେ କମ କରାଯିବ । ୨୦୨୪ରେ ଭାରତର ସରକାରୀ ଋଣ ଜିଡିପିର ୮୫ ପ୍ରତିଶତ ନିକଟରେ ଥିଲା । ଏଥିରେ କେନ୍ଦ୍ର ସରକାରଙ୍କ ଭାଗ ୫୭ ପ୍ରତିଶତ ଥିଲା । ସରକାରୀ ଋଣ ୨୦୨୫-୨୬ ବଜେଟରେ ବି ଗୁରୁତ୍ୱପୂର୍ଣ୍ଣ ରହିବ ।
ଟିକସ ରାଜସ୍ୱ (Tax Revenue)
ଦେଶର ରାଜକୋଷ ଭରିବା ପାଇଁ ଟ୍ୟାକ୍ସ ରେଭେନ୍ୟୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାର୍ଗ । ୨୦୨୪-୨୫ ବଜେଟରେ ଗ୍ରସ୍ ଟ୍ୟାକ୍ସ ରେଭେନ୍ୟୁ ୩୮.୪୦ ଲକ୍ଷ କୋଟି ଟଙ୍କା ରହିବା ନେଇ ଅନୁମାନ କରାଯାଇଥିଲା । ଏହା ଗତବର୍ଷ ତୁଳନାରେ ୧୧.୭୨ ପ୍ରତିଶତ ଅଧିକ । ଏଥିରୁ ୨୨.୦୧ ଲକ୍ଷ କୋଟି ଟଙ୍କା ପ୍ରତ୍ୟକ୍ଷ କର ଏବଂ ୧୬.୩୩ ଲକ୍ଷ କୋଟି ଟଙ୍କା ପରୋକ୍ଷ ଟିକସରୁ ଆସିବା ନେଇ ଅନୁମାନ କରାଯାଇଥିଲା । ଆଗାମୀ ବଜେଟରେ ଏହି ଲକ୍ଷ୍ୟକୁ ବଢାଯାଇପାରେ ।
ଜିଏସଟି
ଜିଏସଟିରୁ ସରକାରଙ୍କୁ ମିଳୁଥିବା ରାଜସ୍ୱ ୨୦୨୪-୨୫ରେ ୧୦.୬୨ ଲକ୍ଷ କୋଟି ଟଙ୍କା ପହଞ୍ଚିବାର ଅନୁମାନ ରହିଛି । ଏଥିରେ ୧୧ ପ୍ରତିଶତ ବୃଦ୍ଧି ନେଇ ଅନୁମାନ ରହିଛି । ତେବେ ଗତ କିଛି ମାସରେ ଜିଏସଟି ସଂଗ୍ରହ ଆଶାନୁରୂପ ନଥିଲା ।
ଆରବିଆଇ ଏବଂ ସରକାରୀ କମ୍ପାନିର ଲାଭାଂଶ
ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏବଂ ସାର୍ବଜନୀନ କ୍ଷେତ୍ରରୁ ମିଳୁଥିବା ଲାଭାଂଶ ମିଳିବାର ଅନୁମାନ ରହିଛି । ଏହା ବ୍ୟତୀତ ସରକାର ବିନିବେଶ ଜରିଆରେ ବି ପୁଞ୍ଜି ଏକାଠି କରିବା ପାଇଁ ଯୋଜନା ରଖିଛନ୍ତି ।