ମୁମ୍ବାଇ ୩୦।୧: ପ୍ରିୟଙ୍କା ଚୋପ୍ରା ଦୀର୍ଘ ସମୟରୁ ହିନ୍ଦୀ ଫିଲ୍ମରୁ ଦୂରେଇ ରହିଛନ୍ତି। ଅଭିନେତ୍ରୀଙ୍କୁ ଶେଷ ଥର ୨୦୧୯ ମସିହାରେ ଫିଲ୍ମ ‘ଦି ସ୍କାଏ ଇଜ୍ ପିଙ୍କ’ ରେ ଦେଖାଯାଇଥିଲା। ୬ ବର୍ଷ ପରେ ଏବେ ସେ ବଲିଉଡକୁ ଫେରିବାକୁ ପ୍ରସ୍ତୁତି କରୁଛନ୍ତି। ନିକଟରେ ସେ ଏସ.ଏସ୍. ରାଜାମୌଲୀଙ୍କ ଫିଲ୍ମ ସ୍ୱାକ୍ଷର କରିଛନ୍ତି। ଏଥି ପାଇଁ ସେ ମୋଟା ରକମର ଫି ନେଇଛନ୍ତି। ଏହା ପରେ ସେ ଭାରତର ହାଇଏଷ୍ଟ ପେଡ ଅଭିନେତ୍ରୀ ପାଲଟିଛନ୍ତି।
ପ୍ରିୟଙ୍କା ଚୋପ୍ରା ରାଜାମୌଲୀଙ୍କ ଫିଲ୍ମ ଏସଏସଏମବି୨୯ ପାଇଁ ସ୍ୱାକ୍ଷର କରିଛନ୍ତି। ବଲିଉଡ ହଙ୍ଗାମା ରିପୋର୍ଟ ଅନୁସାରେ ଏହି ଫିଲ୍ମ ପାଇଁ ଅଭିନେତ୍ରୀ କେବଳ ସାଇନିଂ ଏମାଉଣ୍ଟ ରୂପେ ୩୦ କୋଟି ଟଙ୍କା ନେଇଛନ୍ତି। ଏହା ସହିତ ପ୍ରିୟଙ୍କା ଭାରତର ହାଇଏଷ୍ଟ ପେଡ୍ ଆକ୍ଟ୍ରିସ୍ ଲିଷ୍ଟର ଶୀର୍ଷରେ ନିଜ ପାଇଁ ସ୍ଥାନ ତିଆରି କରିଛନ୍ତି। ରାଜାମୌଲୀଙ୍କ ଏହି ଫିଲ୍ମ ଏକ ଆକ୍ସନ ଓ ଆଡଭେଞ୍ଚର ଫିଲ୍ମ। ଏଥିରେ ପ୍ରିୟଙ୍କା ଦକ୍ଷିଣ ଅଭିନେତା ମହେଶ ବାବୁଙ୍କ ସହିତ ଦେଖାଯିବେ।
ଏହା ଛଡା ଏ ଖବର ମଧ୍ୟ ଆସୁଛି ଯେ ଫିଲ୍ମରେ ଜନ ଆବ୍ରାହାମ ମଧ୍ୟ ଦେଖାଯିବେ। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜନ ଆବ୍ରାହାମ ରାଜାମୌଲୀଙ୍କ ଫିଲ୍ମରେ ପୃଥ୍ୱୀରାଜ ସୁକୁମାରନଙ୍କ ରିପ୍ଲେସ୍ କରିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ଜନ ଓ ପ୍ରିୟଙ୍କା ପ୍ରାୟ ୧୭ ବର୍ଷ ପରେ ସ୍କ୍ରିନରେ ଏକାଠି ଦେଖାଯିବେ। ଏହା ପୂର୍ବରୁ ସେମାନେ ୨୦୦୮ ମସିହାରେ ଫିଲ୍ମ ‘ଦୋସ୍ତାନା’ରେ ଏକତ୍ର ଅଭିନୟ କରିଥିଲେ। ତେବେ ଦେଶର ହାଇଏଷ୍ଟ ପେଡ ଆକ୍ଟ୍ରିସ୍ ଙ୍କ ଲିଷ୍ଟର ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି ଦୀପିକା ପାଦୁକୋନ, ଦୀପିକା ତାଙ୍କ ଫିଲ୍ମ ପାଇଁ ୧୫ରୁ ୩୦ କୋଟି ଟଙ୍କା ଦାବି କରୁଛନ୍ତି। ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି କଙ୍ଗନା ରଣାବତ।