ଲୋକଙ୍କ ସ୍ୱାର୍ଥ ପାଇଁ ବିଷାକ୍ତ ଯମୁନା ପାଣି ପ୍ରସଙ୍ଗ ଉଠାଇଥିଲି: ନିର୍ବାଚନ କମିଶନଙ୍କୁ କେଜରିୱାଲଙ୍କ ଉତ୍ତର

Published By : Prameya-News7 Bureau | January 29, 2025 IST

INDIATODAY

ଲକ୍ଷ୍ନୌ: ଯମୁନା ପାଣିକୁ ବିଷାକ୍ତ କରିବା ମନ୍ତବ୍ୟ ଉପରେ ଇଲେକ୍ସନ କମିଶନଙ୍କ ପାଖରେ ଜବାବ ରଖିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍। ଯମୁନା ପାଣିର ମାନ ଖରାପ ହେବା ସାଧାରଣରେ ଏକ ଚିନ୍ତାର ବିଷୟ। ଏ ପ୍ରସଙ୍ଗକୁ ଉଜାଗର କରିବାକୁ ମୁଁ ଏଭଳି ମନ୍ତବ୍ୟ ଦେଇଥିଲି ବୋଲି କେଜରିୱାଲ୍ କହିଛନ୍ତି।

ଯମୁନା ପାଣିରେ ହରିୟାଣା ସରକାର ବିଷାକ୍ତ ବର୍ଜ୍ୟବସ୍ତୁ ମିଶ୍ରଣ କରୁଛନ୍ତି। ଏତେ ବିଶାକ୍ତ ଯେ ଏହାକୁ ଦିଲ୍ଲୀରେ ବିଶୋଧନ କରିବା କଷ୍ଟକର ହୋଇପଡ଼ୁଛି। ଦିଲ୍ଲାବାସୀଙ୍କୁ ପାଣିରୁ ବଞ୍ଚିତ କରିବାକୁ ହରିୟାଣା ସରକାର ଏହା କରୁଛନ୍ତି ବୋଲି କେଜରିୱାଲ୍ କହିଥିଲେ। ୨୭ ତାରିଖ ଏକ ରାଲିରେ ସମ୍ବୋଧନ କରି କେଜରିୱାଲ୍ ଏହି ଅଭିଯୋଗ ଆଣିଥିଲେ। 

ଯାହାକୁ ନେଇ ହରିୟାଣା ସରକାର କେଜରିୱାଲ୍‌ଙ୍କ ବିରୋଧରେ ମାନହାନୀ ମାମାଲ ରୁଜୁ କରିବେ ବୋଲି କହିଥିଲେ। ଘଟଣାକୁ ନେଇ ବିଜେପି ଓ ଆପ୍ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା। କଥା ବଢ଼ିବାରୁ ଇଲେକ୍ସନ କମିଶନ କେଜରିୱାଲ୍‌ଙ୍କୁ ନୋଟିସ୍ କରି ବୁଧବାର(୨୯ ଜାନୁଆରୀ ୨୦୨୫) ସନ୍ଧ୍ୟା ୮ ସୁଦ୍ଧା ଏହାକୁ ପ୍ରମାଣିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

ଜବାବରେ କେଜରିୱାଲ କହିଛନ୍ତି ହରିୟାଣାରୁ ଆସୁଥିବା ଜଳ ଉପରେ ଦିଲ୍ଲୀ ନିର୍ଭର କରିଥାଏ। ପାଣିର ମାନ ଖରାପ ସମ୍ପର୍କରେ ଦିଆଯାଇଥିବା ବୟାନ ହରିୟାଣାରୁ ଆସୁଥିବା ପାଣିର ବିଷାକ୍ତତା ଏବଂ ପ୍ରଦୂଷଣକୁ ଉଜାଗର କରିବା ପାଇଁ ଦିଆଯାଇଥିଲା। 

ସେ ଆହୁରି କହିଛନ୍ତି ଯେ ହରିୟାଣାରୁ ଆସୁଥିବା ପାଣି ଏତେ ବିଷାକ୍ତ ଯେ ଏହାକୁ ଦିଲ୍ଲୀରେ ବିଶୋଧନ କରି ପାନୀୟ ଜଳରେ ପରିଣତ କରିବା ଅସମ୍ଭବ ହେଇ ପଡ଼ୁଛି। ଏପରି ବିଷାକ୍ତ ପାଣିକୁ ଲୋକେ ପିଇଲେ ଏହା ଗୁରୁତର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିବା ସହ ମୃତ୍ୟୁର କାରଣ ପାଲଟି ପାରେ। ତେବେ ତାଙ୍କର ଏହି ମନ୍ତବ୍ୟକୁ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଉସୁକାଇବା କିମ୍ବା ଜାତୀୟ ସଂହତି ପାଇଁ ପକ୍ଷପାତକାରୀ ବୋଲି କୁହାଯାଇପାରିବ ନାହିଁ ବୋଲି କେଜରିୱାଲ୍ କହିଛନ୍ତି। 

ଯମୁନା ପାଣି ଉପରେ ଜାନୁଆରୀ ୨୭ ତାରିଖରେ ଦିଲ୍ଲୀ ଜଳ ବୋର୍ଡର ସିଇଓ ଏକ ଚିଠି ଦେଇଥିଲେ। ଏହି ଚିଠିକୁ ଆଧାର କରି ସେ ମନ୍ତବ୍ୟ ଦେଇଥିଲେ ବୋଲି କେଜରିୱାଲ୍ କହିଛନ୍ତି। ଚିଠିରେ ବୋର୍ଡ ନିଜେ ସ୍ୱୀକାର କରିଥିଲେ ଯେ ହରିୟାଣାରୁ ଦିଲ୍ଲୀ ଆସୁଥିବା ପାଣିରେ ଆମୋନିଆର ସ୍ତର ବହୁ ଗୁଣ ବୃଦ୍ଧି ପାଇଛି। ଏହା ୬.୫-୭ ପିପିଏମ ସ୍ତର ପର୍ଯ୍ୟନ୍ତ ପହଞ୍ଚିଛି। ୱାଜିରାବାଦ ବ୍ୟାରେଜର ଉପରମୁଣ୍ଡରେ କିଛି ଅପରିଷ୍କାର ସ୍ୱେରେଜ କିମ୍ବା ଶିଳ୍ପ ଆବର୍ଜନା ମିଶ୍ରଣ ଯୋଗୁ ଯମୁନା ନଦୀରେ ଆମୋନିଆ ବୃଦ୍ଧି ପାଉଛି ବୋଲି ଜଳ ବୋର୍ଡ ଚିଠିରେ ଉଲ୍ଲେଖ କରିଥିଲା।

ପାନୀୟ ଜଳରେ ଅତ୍ୟଧିକ ଆମୋନିଆ ମିଶିବାରୁ ଏହାକୁ ପିଇବା ସ୍ୱାସ୍ଥ୍ୟପକ୍ଷେ ହାନିକାରକ। ତେଣୁ ମୋ ମନ୍ତବ୍ୟ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନୁହେଁ। ସମ୍ବିଧାନରେ ଥିବା ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଅଧୀନରେ ଦିଆଯାଇଛି ବୋଲି କେଜରିୱାଲ୍ କହିଛନ୍ତି। 

ଦିଲ୍ଲୀର ବାସିନ୍ଦାଙ୍କ ପାଇଁ ନିରାପଦ ଜଳର ଉପଲବ୍ଧତା ସୁନିଶ୍ଚିତ କରିବାରେ ସରକାରୀ ତ୍ରୁଟିକୁ ଉଜାଗର କରିବା କାର୍ଯ୍ୟକୁ ଆଇନଗତ ଏବଂ ସାମ୍ବିଧାନିକ ଭାବରେ ଅପରାଧ ବିଚାର କରିବା ଅନୁଚିତ ନୁହେଁ ବୋଲି କେଜରିୱାଲ୍ ଇଲେକ୍ସନ କମିଶନଙ୍କୁ ଜଣାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.