ନୂଆଦିଲ୍ଲୀ: ଭାରତରୁ କଞ୍ଚାମାଲ୍ ବିଦେଶ ଯିବ ଓ ପରେ ନୂଆ ଉତ୍ପାଦ ହୋଇ ଆସିବ ଏବଂ ତାକୁ ଆମେ କିଣିବା, ଏହା ସ୍ୱୀକାର ନୁହେଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଙ୍ଗଳବାର ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ଏହା କହିଛନ୍ତି । ପିଏମ୍ କହିଛନ୍ତି ଯେ ଏବେ ଏହି ଟ୍ରେଣ୍ଡରେ ପରିବର୍ତ୍ତନ ଆସୁଛି । ସେ କହିଛନ୍ତି ଯେ ଭାରତର ଅର୍ଥବ୍ୟବସ୍ଥାକୁ ଆଗକୁ ବଢାଇବା ପାଇଁ ଦୁଇଟି ସ୍ତମ୍ଭ ଗୁରୁତ୍ୱପୂର୍ଣ୍ଣ । ସର୍ଭିସ୍ ସେକ୍ଟରରେ ସୁଧାର ଆସୁ ଏବଂ ନୂତନତାକୁ ଲାଗୁ କରାଯାଉ । ଏହାସହ କ୍ୱାଲିଟି ଉତ୍ପାଦ ନିର୍ମାଣ କରିବା ଦରକାର । ଦେଶର ବିକାଶ କେବଳ କଞ୍ଚାମାଲ୍ ରପ୍ତାନୀ ଦ୍ୱାରା ସମ୍ଭବ ହୋଇପାରିବ ନାହିଁ । ପୂରା ଇକୋସିଷ୍ଟମକୁ ପରିବର୍ତ୍ତନ କରିବା କାମ ଜାରି ରହିଛି । ନୂଆ ଭିଜନ୍ ସହ କାମ କରିବାର ଅଛି ଏବଂ ଫିନିସ୍ ପ୍ରଡକ୍ଟର ରପ୍ତାନୀ ବି ଆମେ ହିଁ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପିଏମ୍ ମୋଦୀ ଓଡ଼ିଶା କଥା ଉଲ୍ଲେଖ କରିଛନ୍ତି, 'ଦୀର୍ଘ ବର୍ଷରୁ ଏଠାରୁ ଲୁହାର କଞ୍ଚାମାଲ ବିଦେଶକୁ ରପ୍ତାନୀ ହୋଇଆସୁଛି । ଏବେ ଆମ ସରକାର ଏହା ସ୍ଥିର କରିଛନ୍ତି ଯେ ଯେଉଁ ସମ୍ପଦ ଯେଉଁଠି ଉପଲବ୍ଧ ଅଛି, ସେଠାରେ ତାହା ସହ ଜଡ଼ିତ ଉଦ୍ୟୋଗ ସ୍ଥାପନ କରାଯିବ ।' ପିଏମ୍ ମୋଦୀ କହିଛନ୍ତି, 'ଏବେ ଭାରତରେ ଟ୍ରେଣ୍ଡ ବଦଳିବାରେ ଲାଗିଛି । ଏଠାରେ ଖଣିଜ ଉତ୍ପାଦନ ହେଉଥିଲା ଏବଂ ପରେ ଅନ୍ୟ ଦେଶକୁ ରପ୍ତାନୀ ହେଉଥିଲା । ସେଠାରେ ନୂଆ ସାମଗ୍ରୀ ପ୍ରସ୍ତୁତ ହୋଇ ପୁଣି ଭାରତରେ ଆଣି ବିକ୍ରି କରାଯାଉଥିଲା । ମୋଦୀକୁ ଏହା ସ୍ୱୀକାର ନୁହେଁ ।' ଭାରତରେ ଲୁହା ଉତ୍ପାଦନରେ ଓଡ଼ିଶାର ଅଗ୍ରଣୀ ରାଜ୍ୟ । ସାରା ଭାରତରେ ଉତ୍ପାଦନ ହେଉଥିବା ଲୁହା ମଧ୍ୟରୁ କେବଳ ଓଡ଼ିଶାରେ ଯୋଗଦାନ ୫୧ ପ୍ରତିଶତ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ କୋଟି କୋଟି ଲୋକଙ୍କ ଆକାଂକ୍ଷା ସହ ବିକାଶ ରାସ୍ତାରେ ଆଗକୁ ବଢୁଛୁ । ଆମର ଆବଶ୍ୟକତା ଯେତେବେଳେ ପୂରଣ ହୁଏ, ସେତେବେଳେ ନୂଆ ଆକାଂକ୍ଷା ଜନ୍ମ ନିଏ । ଗତ ଏକ ଦଶନ୍ଧିରେ ଆମ ଦେଶରେ ପ୍ରଗତି ହୋଇଛି ଏବଂ କୋଟି କୋଟି ଲୋକ ସଶକ୍ତ ହୋଇଛନ୍ତି । ଓଡ଼ିଶା ବି ସେହି ଆକାଂକ୍ଷାର ପ୍ରତିନିଧିତ୍ୱ କରୁଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଭିତ୍ତିଭୂମି ଏବଂ ମଲ୍ଟି ମୋଡଲ କନେକ୍ଟିଭିଟିର । ଏହି ସମୟରେ ଯୋଗାଯୋଗ ଯାହାର ଯେତେ ଉନ୍ନତ ରହିବ, ସେ ପ୍ରଗତି କରିବ । ଆମେ ଏହି ଦିଗରେ ବହୁ ମାତ୍ରା ନିବେଶ କରିଛୁ ।