ଭୁବନେଶ୍ଵର: ବର୍ଷ ପରେ ବର୍ଷ ବିତିଲା, ହେଲେ ଚିଟ୍ଫଣ୍ଡ ଟଙ୍କା ଫେରି ପାଇଲେନି କ୍ଷତିଗ୍ରସ୍ତ ଜମାକାରୀ । ଏବେ ସରକାର ବଦଳିଛି । ଆଉ ଏଥି ସହ ଟଙ୍କା ଫେରସ୍ତ ନେଇ କ୍ଷତିଗ୍ରସ୍ତ ଜମାକାରୀଙ୍କ ଭିତରେ ପୁଣି ଦେଖା ଦେଇଛି ଆଶାର କିରଣ । କେମିତି ଜମାକାରୀ ତାଙ୍କ ଟଙ୍କା ଫେରସ୍ତ ପାଇବେ ତାକୁ ନେଇ ଉଠିଛି ବଡ ପ୍ରଶ୍ନ । କାରଣ ଏନେଇ ଗଠିତ କମିଶନଙ୍କ ଅଫିସରେ ତାଲା ଝୁଲୁଥିବା ବେଳେ ଖତ ଖାଉଛି ଲକ୍ଷ ଲକ୍ଷ ଜମାକାରୀଙ୍କ ସତ୍ୟପାଠ । ଏପଟେ କିନ୍ତୁ ଚିଟ୍ଫଣ୍ଡ ଟଙ୍କା ଫେରସ୍ତକୁ ନେଇ ତେଜିଛି ରାଜନୀତି ।
କେବେ ଫେରିବ ଚିଟ୍ଫଣ୍ଡ ଟଙ୍କା । କେବେ ନିଜ କଷ୍ଟ ଅର୍ଜିତ ଧନ ଫେରିପାଇବେ କ୍ଷତିଗ୍ରସ୍ତ ଜମାକାରୀ ? ଗତକାଲି ନିଜେ ମୁଖ୍ୟମନ୍ତ୍ରୀ ଚିଟ୍ଫଣ୍ଡ ଠକେଇର ଶିକାର ହୋଇଥିବା କହିବା ପରେ ଏହାକୁ ନେଇ ଜୋର୍ ଧରିଛି ରାଜନୈତିକ ବୟାନବାଜି । ଗୋଟେପଟେ ବର୍ଷ ବର୍ଷ ଧରି ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ନିଜ କଷ୍ଟ ଉପାର୍ଜିତ ଧନ ଫେରିବାଇବାକୁ ଚାତକ ଭଳି ଚାହିଁ ବସିଥିବା ବେଳେ ସରକାର ବଦଳିଲା ପଛେ ସେମାନଙ୍କ ଆଶା ପୂରଣ ହେଲାନି । ଆଉ ଏବେ ଯେତେବେଳେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଟ୍ଫଣ୍ଡକୁ ନେଇ ନିଜ ଦୁଃଖକୁ ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି ସେତେବେଳେ କ୍ଷତିଗ୍ରସ୍ତ ଜମାକାରୀଙ୍କ ଭିତରେ ହରାଇଥିବା ଅର୍ଥ ଫେରିବାକୁ ପୁଣି ଦେଖା ଦେଇଛି ଆଶାର କିରଣ ।
ଏମିତିରେ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚର କହିବା କଥା ଚିଟ୍ଫଣ୍ଡ ନେଇ ଗଠିତ କମିଶନଙ୍କ ଅଫିସରେ ଏବେ ତାଲା ପଡ଼ିଥିବା ବେଳେ ଖତ ଖାଉଛି ଲକ୍ଷ ଲକ୍ଷ ଜମାକାରୀଙ୍କ ସତ୍ୟପାଠ । ନିଜ କାର୍ଯ୍ୟକାଳ ଭିତରେ ଏମଏମ୍ ଦାସ କମିଶନ ୭ଟି ଅନ୍ତରୀଣ ରିର୍ପୋଟ ପ୍ରଦାନ କରିଛନ୍ତି। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ୮ଲକ୍ଷ ୮୬ ହଜାର ସତ୍ୟପାଠ ମଧ୍ୟରୁ ୪ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକରୀଙ୍କୁ ଚିହ୍ନଟ କରାଯାଇଥିଲା ।
Also read: ହାତୀର ଫଟୋ ଉଠାଇବା ବେଳେ ଅଘଟଣ : ଶୁଣ୍ଢରେ ଠେଲି କଲା ଗୁରୁତର
ଦ୍ବିତୀୟ ପର୍ଯ୍ୟାୟରେ ଆସିଥିବା ୭ଲକ୍ଷ କ୍ଷୁଦ୍ର ଜମାକାରୀଙ୍କ ସତ୍ୟପାଠ ଯାଞ୍ଚ ହୋଇନାହିଁ। ଏହି କମାକରୀଙ୍କ ସତ୍ୟପାଠ ଯାଞ୍ଚ କରିବା ପାଇଁ ଆହୁରି ସମୟ ଲାଗିବ। କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ସରକାରଙ୍କୁ ଚିଠି ଲେଖିଥିଲେ ସୁଦ୍ଧା ଏ ନେଇ କୌଣସି ପଦକ୍ଷେପ ନିଆଯାଇନଥିଲା । ଯେଉଁଥିପାଇଁ୨୦୨୦ ଏପ୍ରିଲ ମାସରୁ କମିଶନ ଅଫିସରେ ଏବେ ତାଲା ଝୁଲୁଛି । ୨୦୧୯ ମସିହାରେ ସରକାର ଶେଷଥର ପାଇଁ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଏହା ଭିତରେ କିନ୍ତୁ ଫସିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ ।
ଯେହେତୁ ନିର୍ବାଚନ ପୂର୍ବରୁ ବିଜେପି ଚିଟଫଣ୍ଡ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ତେଣୁ ବର୍ତମାନ ଚିଟ୍ଫଣ୍ଡ ଅର୍ଥ ଫେରିପାଇବା ନେଇ ବିଜେପି ସରକାର ଉପରେ ସମସ୍ତଙ୍କ ନଜର ରହିଛି । ଏମିତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସମାଲ କହିଛନ୍ତି, ଚିଟ୍ଫଣ୍ଡ ଟଙ୍କା ଫେରାଇବା ନେଇ ଆଲୋଚନା ଚାଲିଛି । ଖୁବଶୀଘ୍ର ସେ ବାବଦରେ ନୀତିଗତ ନିଷ୍ପତି ନିଆଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।
Also read: ବିଦ୍ୟାଳୟରେ ଗୁଣି ଗାରେଡ଼ି, ଅନ୍ୟ ଷ୍ଟାଫ୍ଙ୍କୁ ଗୁଣି ଗାରେଡି କରି କ୍ଷତି ପହଞ୍ଚାଉଛନ୍ତି ଅଧ୍ୟକ୍ଷ !
କମିଶନ ରିପୋର୍ଟ ସାର୍ବଜନୀନ ନେଇ ସରକାର ଅନୁଧ୍ୟାନ କରୁଛନ୍ତି । ଟଙ୍କା ଫେରାଇବା, ପୂର୍ବ ସରକାରଙ୍କ ଦାୟିତ୍ଵ ଥିଲା, ହେଲେ ସେକଥା ସେ କଲେ ନାହିଁ । ଏ ସରକାର ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ ବୋଲି କହିଛନ୍ତି ମନେମାହନ । ଜବାବରେ ବିଜେଡି କହିଛି ଚିଟଫଣ୍ଡ୍ କଥା ବିଚାର କରୁ କରୁ ସରକାର ସରିଯାଇଥିବ। ସରକାର ବହୁତ କଥା ବିଚାର କରୁଛନ୍ତି, ଆକ୍ସନ କାହିଁକି ନେଉନାହାନ୍ତି । କଂଗ୍ରେସ କହିଛି ବିଜେପି ସରକାର ଚିଟଫଣ୍ଡ ଟଙ୍କା ଫେରାଇବା କଥା କହୁଛନ୍ତି, ହେଲେ କେବେ ଫେରାଇବେ ସେକଥା ସ୍ପଷ୍ଟ କରିବା ଦରକାର ।
କ୍ଷୁଦ୍ରଜମାକରୀଙ୍କୁ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ କରିବା ପାଇଁ ୨୦୧୪ ନିର୍ବାଚନ ପୂର୍ବରୁ ୩ ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଥିଲେ ତତ୍କାଳୀନ ସରକାର । ହେଲେ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନେ ଟଙ୍କା ପାଇନାହାନ୍ତି ।