ଭଦ୍ରକ ୦୧/୦୮: ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ନେଇ ରାଜନୀତି ଜୋର୍ । ଗୁରୁବାର ପ୍ରୟାସକାନ୍ତି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଥିଲା ଚର୍ଚ୍ଚା ହେଉଛି । ବିଜେପି ଅଫିସକୁ ଯାଇଥିବାର ଭିଡିଓ ମଧ୍ୟ ଭାଇରାଲ୍ ହେଉଛି ।
ଏହା ପରେ ସେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ସହିତ ଦୀର୍ଘ ଘଣ୍ଟା ଧରି ରୁଦ୍ଧ ଦ୍ବାର ବୈଠକ କରିଥିଲେ ।
ଜିଲ୍ଲାପାଳଙ୍କ ଅଫିସରେ ଆଲୋଚନାକୁ ଭଦ୍ରକ ବିଧାୟକ ମାନିଥିବା ବେଳେ ପ୍ରୟାସକାନ୍ତି ବିଜେପି ଅଫିସ ଯାଇଥିବା କଥାକୁ ଖଣ୍ଡନ କରିଛନ୍ତି ସିତାଂଶୁ ଶେଖର ମହାପାତ୍ର । ବିଧାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରପଦା ଇଞ୍ଜିନିୟରିଂ କଲେଜ ବିଷୟରେ ତାଙ୍କ ସହିତ ଆଲୋଚନା ହୋଇଥିଲା ।
ସୂଚନା ଅନୁଯାୟୀ, ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ମେ’ ୨୮ ତାରିଖରେ ବିଜୁ ଜନତା ଦଳର ପ୍ରଥମିକ ପଦରୁ ଇସ୍ତଫା ଦେଇଥିଲେ । ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଥିଲେ । ସେ ସେତେବେଳେ କହିଥିଲେ, ରାଜନୀତିରେ ରହିବି, ଲୋକଙ୍କ ସେବା କରିବି, ଲୋକଙ୍କ ସହ ରହି କାମ କରିବି, କିନ୍ତୁ ବିଜୁ ଜନତା ଦଳ ସହ ନୁହେଁ ।
ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୋତେ ରାଜନୀତିରେ ରହି ସବୁ ବର୍ଗର ଲୋକଙ୍କ ସେବା କରିବା ସହଜ ହେଉ ନ ଥିଲା । ତେବେ ଗୁରୁବାର ବିଜେପି ଅଫିସକୁ ପ୍ରୟାସକାନ୍ତି ଯିବା ନେଇ ଖବର ସାମ୍ନା ଆସିବା ପରେ ଭଦ୍ରକ ରାଜନୀତି ସରଗରମ ହୋଇଛି ।