ପାଖେଇ ଆସୁଛି ପୂଜା, ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

Published By : Prameya-News7 Bureau | October 07, 2024 IST

ଭଦ୍ରକ ୦୭।୧୦ : ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ସଦ୍‌ଭାବନା ସଭାଗୃହରେ ପ୍ରଶାସନିକ ପ୍ରସ୍ତୁତି ବୈଠକ । ଭଦ୍ରକ ସହରରେ ଶାନ୍ତିଶୃଙ୍ଖଳା ସହିତ ଦୁର୍ଗାପୂଜା ପାଳନ ଓ ଭସାଣି ଯାତ୍ରା ଆୟୋଜନ ନେଇ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ୍‌ପି ମାଡକର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । 

ବିଗତ ଦିନରେ ଶାନ୍ତିଶୃଙ୍ଖଳାର ସହିତ ଭଦ୍ରକରେ ସମସ୍ତ ପର୍ବପର୍ବାଣୀ ପାଳନ ହୋଇଆସିଛି । ଭଦ୍ରକ ଏକ ଭାଇଚାରାର ଜିଲ୍ଲା ଭାବେ ଯେଉଁ ସୁଖ୍ୟାତି ବହନ କରିଆସିଛି । ଆଗାମୀ ଦିନରେ ମଧ୍ୟ ସେହି ସୁନାମ ବଜାୟ ରଖିବାକୁ ପ୍ରଶାସନ ସହିତ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଜିଲ୍ଲାପାଳ ଏହି ବୈଠକ ଜରିଆରେ  ଜିଲ୍ଲାବାସୀଙ୍କ ଠାରୁ ସହଯୋଗ କାମନା କରିଥିଲେ। ଏହି ବୈଠକରେ ଭଦ୍ରକ ସହରରେ ୨୩ ଗୋଟି ପୂଜା ମଣ୍ଡପର ସଭାପତି ଏବଂ ସଂପାଦକ ଭାବେ ଯୋଗଦେଇଥିଲେ । 

ସେହିପରି ଅଧିକାଂଶ ପୂଜାମଣ୍ଡପକୁ ସଂଯୋଗ କରିଥିବା ରାସ୍ତା ମରାମତି, ବର୍ଷା ସମ୍ଭାବନା ଥିବାରୁ କାଦୁଆ ଥିବା ପୂଜା ମଣ୍ଡପ ପାଖରେ ଡଷ୍ଟ ପକାଇବା, ଅସ୍ଥାୟୀ ଏବଂ ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବହୁଳ ଜନସମାଗମ ନିୟନ୍ତ୍ରଣ , ଭସାଣୀ ପାଇଁ କୁତ୍ରିମ ପୋଖରୀ ପ୍ରସ୍ତୁତି ଆଦି ସଂପର୍କରେ ଆଲୋଚନ କରାଯାଇଛି । ଯଥାଶୀଘ୍ର ପଦକ୍ଷେପ ନେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହାସହିତ ଡିଜେକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରମ୍ପରିକ ବାଦ୍ୟରେ ଭସାଣି ମନାଇବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା । ପ୍ରତି ମଣ୍ଡପରେ ସିସିଟିଭି  ଲାଗିବା, ଅନ୍ଧାର ଥିବା ରାସ୍ତାରେ ଆଲୋକି କରଣ କରିବା, ଭସାଣି ପୂର୍ବ ଓ ଭସାଣି ଦିନ ସରକାରୀ ମଦ ଦୋକାନ ବନ୍ଦ ରଖିବା, ଆବଶ୍ୟକ ଜାଗାରେ ଗଛ ଡାଳ କାଟିବା, ଜାନୁଗଞ୍ଜ ପୂଜା କମିଟି ଆନୁକୂଲ୍ୟ ଅନୁଷ୍ଠିତ ହେବାକୁ ଥ‌ିବା ରାବଣ ପୋଡ଼ି ଉତ୍ସବରେ ପୋଲିସ ମୁତୟନ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସତର୍କତା ଅବଲମ୍ବନ ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.