ଅବକାରୀ ବିଭାଗ ଜବତ କରିଥିଲା ଗାଡ଼ି, କୋଇଲା ଚୋରିରେ ଲାଗିଲା କେମିତି ?

Published By : Prameya-News7 Bureau | January 05, 2025 IST

ଭଦ୍ରକ ୫।୧: ଚୋରା ମଦ ଚାଲାଣ ବେଳେ ମଦ ସହ ଜବତ ହେଲା ଗାଡ଼ି । ଜବତ କରିଥିବା ବିଭାଗ ଗାଡ଼ିକୁ ନିଜ ହେପାଜତରେ ରଖିଥିଲା । ଗାଡ଼ି ଚାଳକ ଓ ମାଲିକ କୋର୍ଟରୁ ବେଲ୍ ହେଲା ବେଳେ ଗାଡ଼ି ବେଲ୍ ହୋଇପାରିଲା ନାହିଁ । କିନ୍ତୁ ଅବକାରୀ ବିଭାଗ ଦ୍ଵାରା ଜବତ ଏହି ଗାଡ଼ି କୋଇଲା ଚୋରିରେ ନିୟୋଜିତ ହେବା ସହ ପୋଲିସ ପୁଣି ଥରେ ଜବତ କରିଛି । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ଘଟଣା ଏବେ ଥାନାରେ ପହଞ୍ଚିଛି । 

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସ ୧୩ ତାରିଖ ଦିନ ଭଦ୍ରକ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡ୍ ଚୋରା ମଦ ବୋଝେଇ ଏକ ପିକଅପ ଗାଡ଼ିକୁ ଜବତ କରିଥିଲା । ଏହି ଗାଡ଼ିର ଡ୍ରାଇଭର ଓ ମାଲିକ କୋର୍ଟରୁ ବେଲ୍ ହୋଇଥିଲେ । ଗାଡ଼ି ବେଲ୍ ନହେବାରୁ ଅବକାରୀ ବିଭାଗ ହେପାଜତରେ ଥିଲା । କିନ୍ତୁ ଗାଡ଼ିଟି ଶନିବାର ଅବକାରୀ ବିଭାଗ ଅଫିସରୁ ଜବତ ଗାଡ଼ି ବାହାରି ଥିବା ନେଇ ଗାଡ଼ି ମାଲିକଙ୍କୁ ଜିପିଏସ୍ ନୋଟିଫିକେଶନ ମିଳିଥିଲା । ପରେ ଜବତ ଗାଡ଼ିର ମାଲିକ ଗାଡ଼ିକୁ ଟ୍ରାକ୍ କରି ଇଚ୍ଛାପୁର ନିକଟ ଏକ ସ୍ଥାନରେ କୋଇଲା ଲୋଡ କରିବା ପାଇଁ ଥିବାବେଳେ କେତେକ ଲୋକଙ୍କୁ ନେଇ ପହଞ୍ଚିଥିଲେ । ପରେ ଗାଡ଼ିକୁ ନେଇ ଡ୍ରାଇଭର ଅନ୍ୟ ଏକ ସ୍ଥାନରେ ଲୁଚାଇ ଦେଇଥିଲେ । ଗ୍ରାମାଞ୍ଚଳ ଥାନା ଗାଡ଼ି ମାଲିକଙ୍କ ଅଭିଯୋଗ ପରେ ପୋଲିସ ଜିପିଏସ୍ ଲୋକେଶନ ଦେଖି ଗ୍ରାମାଞ୍ଚଳ ଥାନା ଅଧୀନ କର୍କୋରାରୁ ଗାଡ଼ି ଜବତ କରି ଥାନାକୁ ଆଣିଛି । କିନ୍ତୁ ଘଟଣାକୁ ନେଇ ଅବକାରୀ ବିଭାଗ କୌଣସି ପ୍ରତିକ୍ରିୟା ଦେଇନାହିଁ । ତେବେ ଅବକାରୀ ବିଭାଗ ଦ୍ଵାରା ଜବତ ଗାଡ଼ି ବେଲ୍ ହୋଇନଥିବା ବେଳେ ପୁଣି ପୋଲିସ ଦ୍ଵାରା ଜବତ ହେବା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।


You Can Read:

ବଡ଼ବାଗ ଗାଁରେ ପୋଲିସର ଚଢାଉ, ବିପୁଳ ପରିମାଣର ବାରୁଦ ଓ ବାଣ ତିଆରି ସାମଗ୍ରୀ ଜବତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.