ଭଦ୍ରକ ୦୧/୨୫: ନୂଆବର୍ଷ ପାଇଁ ସମସ୍ତଙ୍କ ମନରେ ଉତ୍ସାହ । ଜିରୋ ନାଇଟରୁ ଆରମ୍ଭ ହୋଇଯାଇଛି ସେଲିବ୍ରେସନ ବଣଭୋଜି,ବୁଲାବୁଲିରେ ବ୍ୟସ୍ତ ସମସ୍ତେ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତରେ ଥିବା ଡିଗି ପାର୍କରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି । ବଣଭୋଜି କରିବାକୁ ସମସ୍ତଙ୍କ ପସନ୍ଦ ପାଲଟିଛି ଡିଗି ପାର୍କ । ୮୦ ଏକର ରୁ ଅଧିକ ଜମି ଥିବା ଏହି ଡିଗି ପୋଖରୀ ରୁ ମାତ୍ର ୧୨ ଏକର ଜମିରେ ତିଆରି ହୋଇଛି ଡିଗି ପାର୍କ । କୁନିକୁନି ପିଲାଙ୍କ ପାଇଁ ଖେଳ ସାମଗ୍ରୀ ଲଗାଯାଇଥିବା ବେଳେ ରଙ୍ଗ ବେରଙ୍ଗର ଫୁଲ ଏବେ ବେଶ୍ ଆକୃଷ୍ଟ କରୁଛି । ଅଳ୍ପ ଦିନରେ ସୁଇମିଂ ପୁଲ ଓ କାଫଟେରିଆ ବି କାର୍ଯ୍ୟକ୍ଷମ ହେବ ।
ସେହିପରି ପାର୍କରେ ଥିବା ପୋଖରୀରେ ବୋଟିଂ ପାଇଁ ବିଭିନ୍ନ ପ୍ରକାରର ବୋଟ୍ ରହିଛି । ସ୍ଥାନୀୟ SHG ପରିଚାଳନା ଦାୟିତ୍ବ ନେଇଥିବାବେଳେ ଏଥିରୁ ଆଦାୟ ହେଉଥିବା ଅର୍ଥ ସରକାରଙ୍କ ରାଜକୋଷକୁ ଯାଉଛି । ଭଦ୍ରକ ଗସ୍ତରେ ଆସି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଏଠି ଅନେକ ଧର୍ମପୀଠ ଓ ପର୍ଯ୍ୟଟନସ୍ଥଳୀ ରହିଛି । ଏସବୁର ପୁନରୁଦ୍ଧାର ଓ ଉନ୍ନତିକରଣ ନିଶ୍ଚିତ ହେବ । ଡିପିଆର ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଦିନ ଥିଲା ସେତେବେଳ ର ରାଜା ଧର୍ମେଶ୍ୱର ଚାଷୀ ଓ ପଦ୍ମ ଫୁଲ ପାଇଁ ଏଠାରେ ୮୦ ଏକରରୁ ଅଧିକ ଜମିରେ ଡିଗି ପୋଖରୀ ଖୋଳି ଥିଲେ । ଆଖପାଖ ଅଞ୍ଚଳର ଚାଷୀ ମାନେ ଏହି ପୋଖରୀରୁ ପାଣି ନେଇ ଜଳସେଚନ ସହାୟତାରେ ଚାଷ କରିଥିଲେ । ପୋଖରୀରେ ବହୁ ପଦ୍ମ ଫୁଲ ହେଉଥିବାରୁ ଏହି ପଦ୍ମ ଫୁଲ ପାଇଁ ଏତେ ପ୍ରସିଦ୍ଧ ଥିଲା ଯେ ଏହି ଗାଁ ର ନାମ ପଦ୍ମପୋଖରୀ ହୋଇଛି ବୋଲି ମଧ୍ୟ କୁହାଯାଏ । ତେବେ କାଳ କ୍ରମେ ଏହି ପୋଖରୀ ଜବରଦଖଲ ହେବା ସହ ବ୍ୟବହାର ନ ହୋଇ ପରିତ୍ୟକ୍ତ ହୋଇପଡିଲା । ଗାଁ ଠାକୁରାଣୀ ମାଆ କେଲୁଣିଙ୍କ ପୂଜା ଛଡ଼ା ଲୋକେ ମଧ୍ୟ ଏଠାକୁ ଆସିବା ପାଇଁ ଭୟ କରୁଥିଲେ । କିନ୍ତୁ ପ୍ରଶାସନର ଉଦ୍ୟମରେ ଆରମ୍ଭ ହୋଇଥିଲା ପୋଖରୀର ପୁନରୁଦ୍ଧାର କାର୍ଯ୍ୟ । ବହୁ ଟଙ୍କା ବ୍ୟୟରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ପୋଖରୀ ସମସ୍ତଙ୍କୁ ଆକୃଷ୍ଟ କରୁଛି । ଆଉ ଏବେ ଏହି ପୋଖରୀର ନାଁ ହୋଇଯାଇଛି ଡିଗିପାର୍କ ।