ନୂଆଦିଲ୍ଲୀ ୦୪/୦୧: ମାସକ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ନିର୍ବାଚନ ଲାଗି ସରଗରମ ଏବେ ରାଜଧାନୀ ରାଜନୀତି । ଶାସକ ଦଳ ଆପ୍, ବିରୋଧୀ ବିଜେପି ଓ କଂଗ୍ରେସ ରଣନୀତି ସହ ମୈଦାନକୁ ଓହ୍ଲାଇଲେଣି । ପୂଜାରୀଙ୍କୁ ନେଇ ଆପ୍ ଖାସ ଯୋଜନା କରିଥିବା ବେଳେ ବିରୋଧୀ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଠିକ୍ ସେମିତି କଂଗ୍ରେସ ବି ଲୋକାଭିମୁଖୀ ଯୋଜନା କରି ଭୋଟ୍ ନେବା ପାଇଁ ପ୍ଲାନ କରିଛି ।
ବିଶେଷ ଭାବରେ ମହିଳାଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ଦଳ ଯଦି ଦିଲ୍ଲୀରେ ସରକାର କରେ ତାହାଲେ ମହିଳାଙ୍କୁ ମାସକୁ ୩ ହଜାର ଟଙ୍କା ସହିତ ସ୍ବାସ୍ଥ୍ୟ ବୀମା ମଧ୍ୟ ପ୍ରଦାନ କରାଯିବ । କେବଳ ଏତିକି ନୁହେଁ ଆହୁରି ଅନେକ ଯୋଜନା ଦଳ ପକ୍ଷରୁ କରାଯାଇଛି । ଖୁବଶୀଘ୍ର ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯିବା ନେଇ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଜାନୁଆରୀ ୬ ତାରିଖରେ କଂଗ୍ରେସର ବରିଷ୍ଠ ନେତା ପ୍ରେସମିଟ୍ କରି ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବେ ।
ଖାସ୍ କରି କଂଗ୍ରେସ ଫୋକସରେ ଅଛନ୍ତି ମହିଳା । ଏଥର ନିର୍ବାଚନରେ ମହିଳାଙ୍କୁ ଫୋକସ କରିଛି କଂଗ୍ରେସ । ସେଇଥି ଲାଗି ତ ଦଳ ସରକାରକୁ ଆସିଲେ ଡିବିଟି ଜରିଆରେ ମହିଳାଙ୍କୁ ମାସକୁ ଅଢେଇ ହଜାରରୁ ୩ ହଜାର ପର୍ଯ୍ୟନ୍ତ ଟଙ୍କା ମିଳିବ ବୋଲି କୁହାଯାଇଛି । ଏପରିକି ସରକାରକୁ ଆସିଲେ ରାଜ୍ୟର ପ୍ରତି ଲୋକଙ୍କ ଲାଗି ସ୍ବାସ୍ଥ୍ୟବୀମା କରାଯିବାର ବ୍ୟବସ୍ଥା କରାଯିବ ।
ଆହୁରି ବି ଏଥର ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେଉଥିବାରୁ ପ୍ରତି ଦଳ ପକ୍ଷରୁ ଚାକିରିକୁ ଗୁରୁତ୍ବ ଦିଆଯାଉଛି । ଦିଲ୍ଲୀରେ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଗରିବ ଥିବା ପରେ ରାସନ କାର୍ଡ ପାଉନାହାନ୍ତି । ତେଣୁ ସମସ୍ତଙ୍କୁ ରାସନ କାର୍ଡ ଦେବାକୁ କଂଗ୍ରେସ ଘୋଷଣା କରିଛି । ଏମିତି ପ୍ରତିଶ୍ରୁତି ବର୍ଷା ପରେ କଂଗ୍ରେସ ସପକ୍ଷରେ ଅଧିକ ଭୋଟ ପଡ଼ିବା ନେଇ ଦଳର ନେତା ଆଶା ରଖିଛନ୍ତି ।