ଭତ୍ତାକୁ ନେଇ ତେଜିଲା ରାଜନୀତି, କ୍ୟାବିନେଟ ନିଷ୍ପତ୍ତି ପରେ ଘେରିଲେ ବିରୋଧୀ

Published By : Prameya-News7 Bureau | January 04, 2025 IST

ଭୁବନେଶ୍ଵର: ଭତ୍ତାକୁ ନେଇ ଜୋର ଧରିଲା  ରାଜନୀତି। ଭତ୍ତାକୁ ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ଏହି ପଦକ୍ଷେପ ଦ୍ବାରା ୬ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ। ସେପଟେ ଏହି ପ୍ରସଙ୍ଗରେ ସରକାରଙ୍କ ଟାର୍ଗେଟ୍ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। 

ଚଳିତ ମାସରୁ ୮୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ଏବଂ ୮୦ ପ୍ରତିଶତ ଥିବା ଦିବ୍ୟାଙ୍ଗମାନଙ୍କୁ ୩ ହଜାର ୫ ଶହ ଟଙ୍କା ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏହା ଦ୍ବାରା ୬ ଲକ୍ଷରୁ ଅଧିକ ଲୋକ ହେବେ ଉପକୃତ। ଏନେଇ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ କହିଛନ୍ତି ବୃଦ୍ଧବୃଦ୍ଧା ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ଏହା ବେଶ ସହାୟକ ହେବ। ସେମାନଙ୍କୁ ଯଥେଷ୍ଟ ସମ୍ମାନ ମିଳିବ ଏବଂ ଆଉ କେହି ଅନାଦାର କରିପାରିବେ ନାହିଁ। ପୂର୍ବ ସରକାର ଦୀର୍ଘ ଦିନ ଶାସନ କରିଥିଲେ ବି ଏଭଳି ପଦକ୍ଷେପ ନେଇନଥିଲେ। କିନ୍ତୁ ଆମ ସରକାର ଆସୁ ଆସୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି।

Also read: ଜାନୁଆରୀ ୧୫ ପରେ ‘ସୁଭଦ୍ରା’ ଟଙ୍କା, ଶେଷ ଯୋଗ୍ୟ ହିତାଧିକାରୀଙ୍କ ଯାଏଁ ହେବ ପଞ୍ଜୀକରଣ

ସେପଟେ ଏଭଳି ନିଷ୍ପତ୍ତି ପରେ ଟାର୍ଗେଟ୍ କରିଛନ୍ତି ବିରୋଧୀ। ବିଜେଡି କହିଛି ସରକାର ମିଥ୍ୟାର ପାହାଡ଼ ଉପରେ ବସିଛନ୍ତି। ନିର୍ବାଚନ ପୂର୍ବରୁ ବିଜେପି ପ୍ରତିଶ୍ରୁତି ଦେଇଥିଲା ସମସ୍ତଙ୍କୁ ପେନସନ ୩୫୦୦ ଟଙ୍କା ଦେବେ। କିନ୍ତୁ ସରକାରକୁ ଆସିବା ପରେ  ଓଲଟା କରିଛିନ୍ତି। ଏପରିକି ୪ ମାସ ଧରି ୧ ହଜାର ଟଙ୍କା ପେନସନ ମଧ୍ୟ ମିଳିନି। ସେହିପରି କଂଗ୍ରେସ କହିଛି ବିଜେପି ପ୍ରତିଶ୍ରୁତି ପାଣିର ଗାର ହୋଇଛି

ପ୍ରଥମେ ସରକାର ସର୍ଭେ କରନ୍ତୁ। ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧବୃଦ୍ଧା ଏବଂ ୮୦ ପ୍ରତିଶତ ଦିବ୍ୟାଙ୍ଗ କେତେ ଅଛନ୍ତି ସର୍ଭେ କରନ୍ତୁ। କେବଳ ବାହାବା ନେବା ପାଇଁ ଏ ପେନସନ ଦେଇଛନ୍ତି ବୋଲି କଂଗ୍ରେସ କହିଛି। ନିର୍ବାଚନ ପରଠୁ ପେନସନକୁ ନେଇ ରାଜନୀତି ଚାଲିଛି। ଏବେ ୬୦ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ କେବେ ୩ ହଜାର ୫ଶହ ଟଙ୍କା ମିଳିବ ତାକୁ ନେଇ ପ୍ରଶ୍ନ ଉଠିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.