ବିଜେଡିକୁ ବିଜେପିର ଜବାବ, ଦରବୃଦ୍ଧି ସମସ୍ୟା ଉତ୍ତରାଧିକାରୀ ସୂତ୍ରରେ ଦେଇଛି ବିଜେଡି

Published By : Prameya-News7 Bureau | January 06, 2025 IST

ଭୁବନେଶ୍ଵର: ଦରବୃଦ୍ଧି ପ୍ରତିବାଦରେ ଆଜି ଲୋୟର ପିଏମଜିରେ ବିଶାଳ ବିକ୍ଷୋଭ କରିଛି ବିଜେଡି । ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୋହନ ମାଝୀଙ୍କ ସରକାରଙ୍କୁ MM ସରକାର ମାନେ  ମହଙ୍ଗା ମାଡ଼ ସରକାର ବୋଲି କହିଛନ୍ତି ନବୀନ। ଏହା ପରେ ବିଜେଡିର ଆନ୍ଦୋଳନ ଉପରେ ପ୍ରତିକ୍ରିୟା   ରଖିଛି ବିଜେପି ।  ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ସମୟରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବାକୁ ନିନ୍ଦା କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।  ସେ କହିଛନ୍ତି ଯେ,  ଓଡ଼ିଶାର ବିକାଶ ବିଜେଡି ଦେହରେ ଯାଉନି ।  ବିଜେପି ସରକାରର ସଫଳ ଶାସନ ଦେଖି ସହିପାରୁନି ବିଜେଡି । 

Also read: କାହାକୁ ମାରିବା ପାଇଁ ସୁପାରି ନେଇଥିଲେ ? କିଏ ଦେଇଥିଲା ? ତଦନ୍ତ କରୁ ପୋଲିସ

ଗୋଲକ ମହାପାତ୍ର କହିଛନ୍ତି, ଦରବୃଦ୍ଧି ସମସ୍ୟା ବିଜେପିକୁ ଉତ୍ତରାଧିକାରୀ ସୂତ୍ରରେ ଦେଇଛି ବିଜେଡି ।  ପୂର୍ବ ସରକାର କରିଥିବା ଆଳୁ, ପିଆଜ ମିଶନ ଫେଲ ହୋଇଥିଲା ।  ଅଧିକାଂଶ ସାମଗ୍ରୀ ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ।   ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ବିଜେପି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଗତ ସରକାର ଲମ୍ବା ସମୟ ଧରି ଯାହା କରିପାରିଲାନି, ବିଜେପି ସରକାର ୬ମାସରେ କରି ଦେଖାଇଛି । ବିଜେଡି ସରକାର କହିଥିଲା ଧାନ ଉପରେ ୧୦୦ ଟଙ୍କା ବୋନସ ଦେବ, କିନ୍ତୁ ଦେଲା ନାହିଁ । ବିଜେପି ପ୍ରତିଶ୍ରୁତି ଦେଇଥିଲା ଓ ଚାଷୀଙ୍କୁ ୮୦୦ଟଙ୍କା ବୋନସ ଦେଲା । ମହିଳା ସଶକ୍ତିକରଣ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ବିଜେଡି । କିନ୍ତୁ ବିଜେପି ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ସମ୍ମାନ ଦେଲା ବୋଲି କହିଛନ୍ତି ଗୋଲକ ମହାପାତ୍ର । 

Also read: ବଡ଼ଦାଣ୍ଡର ଏକ ସ୍ଥାନରେ ବିକ୍ରି ହେଉଥିବା ଖଜା‌କୁ ଖାଉଛି କୁକୁର, ଭିଡିଓ ଭାଇରାଲ୍...

ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଥିଲେ ଯେ, ଡବଲ ଇଞ୍ଜିନ୍ ସରକାରରେ ଡବଲ ମାଡ଼ । ଦରବୃଦ୍ଧି ଓ GST ମାଡ଼ରେ ଲୋକେ ନୟାନ୍ତ ହେଲେଣି । ନିର୍ବାଚନ ବେଳେ ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଥିଲା ବିଜେପି । କିନ୍ତୁ ଫିଲ୍ମ ରିଲିଜ୍ ହେଲା ବେଳକୁ ମୋହନ ସରକାର ମହଙ୍ଗା ମାଡ଼ ସରକାରରେ ପରିଣତ ହୋଇଛି । ଗଲା ୭ ମାସ ହେଲା ଆମେ କେବଳ ଲମ୍ବା ଲମ୍ବା ଭାଷଣ ଶୁଣୁଛୁ । ହେଲେ ଦରଦାମ୍ ବଢ଼ି ବଢ଼ି ଚାଲିଛି । କିଛି ଆକ୍ସନ ନାହିଁ, ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏହି ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି ହେଲେ ଲୋକଙ୍କ ସୁଖ ଦୁଃଖରେ ଏମାନଙ୍କ ସମ୍ପର୍କ ନଥିବା ଜଣାପଡ଼ୁଛି ବୋଲି କହିଥିଲେ ନବୀନ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.